spot_img

ଆଜି ସଂକ୍ରାନ୍ତି ପୁରୁଷଙ୍କ ଜନ୍ମ ଜୟନ୍ତୀ,ଆସନ୍ତୁ ଜାଣିବା ….

ଓଡ଼ିଆ କଥା ସାହିତ୍ୟର ଜନକ ଅଗ୍ରଣୀ ସ୍ରଷ୍ଟା ତଥା ସଂକ୍ରାନ୍ତି ପୁରୁଷ ଫକୀର ମୋହନ ସେନାପତିଙ୍କର ଜନ୍ମଜୟନ୍ତୀ ପାଳନ କରିବା ଓଡିଶାବାସୀ ଓ ଓଡ଼ିଆପ୍ରାଣ ମାନଙ୍କ ପାଇଁ ଗୌରବର ବିଷୟ |୧୮୪୩ ମସିହା ମକର ସଂକ୍ରାନ୍ତି ଦିନ ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁରଠାରେ ଜନ୍ମ ନେଇଥିଲେ କଥା ସମ୍ରାଟ ଫକୀର ମୋହନ ସେନାପତି | କେବଳ କାଳଜୟୀ ସାରସ୍ୱତ କୃତି ପାଇଁ ନୁହେଁ ,ଓଡ଼ିଆ ଭାଷାର ସଙ୍କଟ କାଳରେ ଏହାର ସୁରକ୍ଷା ନିମନ୍ତେ ନିଜର ସାଲିସବିହୀନ ସଂଗ୍ରାମ ପାଇଁ ସେ ଚିର ଅମର |ଓଡ଼ିଆ ସାହିତ୍ୟକୁ ତାଙ୍କର ଥିଲା ଅନନ୍ୟ ଦାନ ।ତାଙ୍କ ଜୀବନ ଓ ସାହିତ୍ୟ ଏକ ବିଚିତ୍ର ଇଲାକା |ଯେଉଁଠି ଵିପର୍ଯ୍ୟୟ ଓ ବିପନ୍ନତାର ଭିଡ ଭିତରୁ ଲହରେଇ ଆସେ ମାନବିକ ଅବବୋଧ ଓ ସମ୍ପ୍ରସାରିତ ମୂଲ୍ୟବୋଧ |ତାଙ୍କ ଭିତରେ ଥିଲା ଯାବତୀୟ ସ˚ଶୟକୁ ସାମ୍ନା କରିବାର କ୍ଷମତା। ନୂତନ ଧାରାଟିକୁ ପାରମ୍ପରିକ କାୟା ମଧୢରୁ ମୁକୁଳାଇବାର ସାହସ। ପ୍ରେମ ଓ ଜୀବନର ନିରବ ନଭମଣ୍ତଳ ଭିତରେ ଥିବା ଦୁଃଖଦ ପଙ୍‌କ୍ତିମାନଙ୍କୁ ଲୋକାୟତନର ବାଟ ଦେଇ ପ୍ରାଣବନ୍ତ ହର୍ଷ-ଉଲ୍ଲାସର ଶୋଭାଯାତ୍ରାରେ ବଦଳାଇବାର ପ୍ରବଣତା | ନିଜ ଲେଖନୀ ମୁନରେ ସିଏ ଓଡ଼ିଆ ଭାଷାକୁ ଜୀବନ୍ତ କରି ଗଢି ତୋଳିଥିଲେ ।ଅବ୍ୟବସ୍ଥା ପ୍ରତି ପ୍ରତିବାଦ ,ସାଂସ୍କୃତିକ ସହାବସ୍ଥାନ ପାଇଁ ଆତ୍ମିକ ନିବେଦନ ହିଁ ତାଙ୍କ ବ୍ୟକ୍ତି ସତ୍ତାର ଅମୂର୍ତ୍ତ ରଙ୍ଗରାଗ | ନୂତନ ଚିନ୍ତା, ନୂତନ ପରିମଣ୍ତଳ ଓ ଜୀବନର ଅଭାବବୋଧକୁ ଏକ ପୂର୍ଣ୍ଣାଙ୍ଗ ଅବବୋଧ ଦେବାରେ ସମର୍ଥ ଫକୀରମୋହନ ପ୍ରକୃତରେ ଥିଲେ ବହୁମାର୍ଗୀ। ଯେତେବେଳେ ପାଠ ପୁସ୍ତକ ଆବଶ୍ୟକ ଥିଲା ସେ ଲେଖି ବସିଲେ ପାଠ୍ୟ ପୁସ୍ତକ, ଯେତେବେଳେ ପତ୍ରପତ୍ରିକା ଆବଶ୍ୟକ ଥିଲା ସେ ମୁଦ୍ରାଯନ୍ତ୍ର ପ୍ରତିଷ୍ଠା କରି ତୁଳାଇ ଥିଲେ ପତ୍ରିକା ପ୍ରକାଶକ ଓ ସମ୍ପାଦକର ଦାୟିତ୍ବ। |ସାହିତ୍ୟରେ ଶ୍ୟାମଳ ଶିହରଣ ସୃଷ୍ଟି କରିବାକୁ ଯାଇ ସେ ପରଷି ବସନ୍ତି ପରିବର୍ତ୍ତନର ଇସ୍ତାହାର | ଜଣେ ସାହିତ୍ୟ ସ୍ରଷ୍ଟା ଭାବରେ ସେ ସାହିତ୍ୟରେ ଭରି ଦେଲେ ମୁକ୍ତି ଓ ସ୍ବସ୍ତିର ଆନନ୍ଦ। ତାଙ୍କ ସାହିତ୍ୟରେ ଯେଉଁଠି ଥିଲା, ଗାଁ-ଦାଣ୍ତର ଭାଷା, କ୍ଷେତ-କ୍ଷେତୁଆଳର ଜୀବନ ଗୀତ। ଯେତେବେଳେ ଓଡ଼ିଆ ଜାତିର ଅସ୍ମିତା ପ୍ରତି ଆଙ୍ଗୁଳି ଉଠିଥିଲା, ବ୍ୟକ୍ତିଗତ ଜୀବନର ସ୍ବାଚ୍ଛନ୍ଦ୍ୟକୁ ପଛରେ ରଖି ସେ ନିଃସର୍ତ୍ତ ଭାବେ ଓଡ଼ିଆଙ୍କ ଜୀବନରେ ଭରି ଦେଲେ ମିଠା ପଣ। ଏବେ ବି ବିସ୍ମିତ ହେବାକୁ ପଡ଼େ, ଜଣେ ନିଜ ଜୀବନକୁ ଭାରାକ୍ରାନ୍ତ କରି ନିଜ ଭାଷା ଓ ଜାତିର କଥା କାହିଁକି ଭାବିବ ? ନିଜର କୋମଳ କଳ୍ପନାକୁ ପଛରେ ରଖି କଠୋର ବାସ୍ତବତାର ସାମ୍ନା କରିବ! କେବେ କେବେ ତାଙ୍କ ସ˚ପର୍କରେ ଭାବି ବସିଲେ ମନେ ହେବ କେବଳ ଅନ୍ତରାତ୍ମାରେ ନିଜ ଜନ୍ମଭୂମି ପ୍ରତି ଏହା ତାଙ୍କର ଐକାନ୍ତିକ ମୋହ ଛଡ଼ା ଆଉ କିଛି ନୁହେଁ।
ପ୍ରକୃତରେ ଅନ୍ୟର ତିରସ୍କାର ଓ ଅନାଦର ପ୍ରତି କୌଣସି ଭ୍ରୂକ୍ଷେପ ନ ରଖି ନିର୍ବିକାର ହୃଦୟରେ ଏ ଜାତି ପାଇଁ ଆଗୁସାର ହେବା ହିଁ ଥିଲା ତାଙ୍କର ସାଧନା। ଓଡ଼ିଶାର ସେହି ଅନନ୍ୟ ବରପୁତ୍ର ଜଣକ ହେଉଛନ୍ତି ବ୍ୟାସକବି ଫକୀର ମୋହନ ସେନାପତି । ସେହି ସମୟର ସାଧାରଣ ସାମାଜିକ ଚଳଣିକୁ ନେଇ ହିଁ ସେ ରଚିଛନ୍ତି ଅନେକ ଉପନ୍ୟାସ, ପୁସ୍ତକ । ତାଙ୍କ ରଚନାରେ ତତକାଳୀନ ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ଅବସ୍ଥା ଗୁଡିକ ସହଜରେ ବାରି ହୋଇପଡେ । ତାଙ୍କ ଦ୍ୱାରା ରଚିତ ଲୋକପ୍ରିୟ ଉପନ୍ୟାସ ଗୁଡିକ ଭିତରେ ଅଛି ରେବତୀ, ପେଟେଣ୍ଟ ମେଡ଼ିସିନ, ଡାକମୁନସୀ, ସଭ୍ୟ ଜମିଦାର, ମାମୁଁ, ଛ ମାଣ ଆଠ ଗୁଣ୍ଠ, ପ୍ରାୟଶ୍ଚିତ ଆଦି । ହିନ୍ଦୀ ସାହିତ୍ୟରେ ପ୍ରେମଚାନ୍ଦ ଓ ଓଡ଼ିଆ ସାହିତ୍ୟରେ ଫକୀର ମୋହନଙ୍କୁ ସମତୁଲ୍ୟ ଧରାଯାଏ ।ଫକୀର ମୋହନ ପ୍ରଖ୍ୟାତ ପୁରାଣ ରାମାୟଣ, ଗୀତା, ଉପନିଷଦ ଆଦି ଗ୍ରନ୍ଥ ଗୁଡିକର ଓଡ଼ିଆ ଅନୁବାଦ ବି କରିଛନ୍ତି । ୧୮୪୩ ମସିହା ମକର ସଂକ୍ରାନ୍ତି ଅବସରରେ ଜନ୍ମ ଓ ୧୯୧୮ ମସିହା ରଜ ସଂକ୍ରାନ୍ତି ଅବସରରେ ସେ ଇହଧାମ ତ୍ୟାଗ କରିଥିଲେ । ତେଣୁ କରି ତ ତାଙ୍କୁ ସଂକ୍ରାନ୍ତି ପୁରୁଷ ଭବେ ଜଣାଯାଏ । ପିତା ଲକ୍ଷ୍ମଣ ଚନ୍ଦ୍ର ସେନାପତି ଓ ମାତା ତୁଳସୀ ଦେବୀଙ୍କ ଔରସରୁ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲା ଫକୀର ମୋହନ ସେନାପତି । ମାତ୍ର ଦେଢ଼ ବର୍ଷ ହୋଇଥିବା ବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ଆଉ ପିତାଙ୍କ ମୃତ୍ୟୁର ମାତ୍ର ୧୪ ମାସ ପରେ ମା’ ବି ଜଗତ ଛାଡ଼ି ଚାଲିଯାଇଥିଲେ ।
ଦୁର୍ବଳ ଶରୀର ଓ ବନ୍ଧୁ ବାନ୍ଧବଙ୍କ ଈର୍ଷାଳୁ ମନୋଭାବ ତାଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି କରିଥିଲା । ଜଣେ ଶିଶୁ ଶ୍ରମିକ ଭାବେ କାମ କରି ନିଜ ଗୁଜୁରାଣ ମେଣ୍ଟାଇବା ସହ ବହୁ କଷ୍ଟରେ ଦି ଅକ୍ଷର ପାଠ ପଢିଥିଲେ । ନିଜେ ଏତେ ବାଧା ବିଘନର ସମ୍ମୁଖୀନ ହେବା ସତ୍ତ୍ୱେ ଓଡ଼ିଆ ଜାତି ପ୍ରତି ତାଙ୍କ ଦାନ ଥିଲା ଅନନ୍ୟ । ତାଙ୍କୁ ଓଡ଼ିଆ ଉପନ୍ୟାସର ଜନକ ଭାବେ ମଧ୍ୟ ଧରାଯାଏ । ତାଙ୍କ ଜନ୍ମ ସ୍ଥାନ ବାଲେଶ୍ୱରର ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଆଦିକୁ ତାଙ୍କରି ନାଁରେ ହିଁ ନାମିତ କରାଯାଇଛି । ମାୟାଧର ମାନସିଂହ, ଶ୍ରୀ ସେନାପତିଙ୍କୁ ଓଡ଼ିଶାର ଥୋମାସ ହାର୍ଡ଼ି ଭାବେ ନାମିତ କରିଥିଲେ । ଓଡ଼ିଆ ଜଗତରେ ଫକୀର ମୋହନ ହିଁ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ନିଜ ଉପରେ ଆତ୍ମ ଜୀବନୀ ରଚନା କରିଛନ୍ତି । ସିଏ ‘ଉତ୍କଳ ଭ୍ରମଣ’ ନାଁରେ ଏକ ଦୀର୍ଘ କବିତା ମଧ୍ୟ ରଚନା କରିଥିଲେ ।ଶେଷରେ ଏତିକି ହେ ଯୁଗସ୍ରଷ୍ଟା ଜୀବନ ଶିଳ୍ପୀ କୋଟି ଓଡ଼ିଆଙ୍କ ମଉଡମଣୀ ଏ ଜାତି ଆପଣକୁ ଅୟୁତ ପ୍ରଣାମ ଜଣାଉଛି |

ଓଡ଼ିଆ ଜାତି ପାଇଁ ଲେଖି ଯାଇଥିବା କାଳଜୟୀ କବିତାରୁ କିଛି ଧାଡି …….

“ଉତ୍କଳ ଜନନୀ ଅଛନ୍ତି ଚାହିଁ              “ଭଲ ଗୋଟେ ମାତୃଭାଷା କିସ ହେବ ଭାଇ
କର କିଛି କାର୍ଯ୍ୟ ଲୋକଙ୍କ ପାଇଁ           ଚଳିଯାଉ ଅଛି କାମ ରୁଣ୍ଡାଇ ପୁଣ୍ଡାଇ
ପଛ ଘୁଞ୍ଚା ଦେଲେ କାର୍ଯ୍ୟ ସାଧନେ         କୁକୁର କି ପାଇଁ ଗୋଟେ ବନାଇବା ଘର
କିବା ପ୍ରୟୋଜନ ସେହି ଜୀବନେ”           ଚାଟିବୁଲେ ବରାମିସା ଅଇଁଠା ପତର”

LEAVE A REPLY

Please enter your comment!
Please enter your name here

- Advertisment -

Most Popular