ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ପିଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଠାରୁ ଆରମ୍ଭ ହେବ ଆବେଦନ ପକ୍ରିୟା । ଛାତ୍ରଛାତ୍ରୀ ମାନେ www.samsodisha.gov.in ରେ ଯାଇ ଆବେଦନ କରିପାରିବେ । କୌଣସି ପ୍ରକାର ଅଫଲାଇନ ସୁବିଧା ରହିବ ନାହିଁ । କେବଳ ଅନଲାଇନରେ ଆବେଦନ ପକ୍ରିୟା କରାଯିବ । ସର୍ବାଧିକ ୫ଟି ପିଜି ବିଷୟ ଓ ୧୦ଟି ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଜଣେ ପରୀକ୍ଷାର୍ଥୀ ଆବେଦନ କରିପାରିବେ । ଆଜି ଅପରାହ୍ନ ୨ଟାରୁ ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ ପକ୍ରିୟା ଚାଲିବ । ଏହାପରେ ସେପ୍ଟେମ୍ବର ୨୦ରେ ଇ-ସ୍ପେସରେ ହଲ୍ ଟିକଟେ୍ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ସେଠାରୁ ହଲ୍ ଟିକେଟ ଡାଉନଲୋଡ କରିପାରିବେ । ଏହାପରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ପ୍ରବେଶିକା ପରୀକ୍ଷା ହେବ । ନଭେମ୍ବର ୨୦ ସୁଦ୍ଧା ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକ ନାମଲେଖା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଡିସେମ୍ବର ପହିଲାରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହି ପ୍ରବେଶିକା ପରୀକ୍ଷା ଦାୟିତ୍ୱ ୩ଟି ବିଶ୍ୱବିଦ୍ୟାଳୟକୁ ଦିଆଯାଇଛି । ବିଜ୍ଞାନ ବିଭାଗରେ ୨୦ଟି ବିଷୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପରୀକ୍ଷା ହେବାକୁ ଥିବା ବେଳେ ବାଣିଜ୍ୟ ବିଭାଗରେ ୮ଟି ବିଷୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କରାଯିବ । ପ୍ରଥମ ବିଷୟ ଲାଗି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୫୦୦ ଟଙ୍କା ଫି ରହିଥିବା ବେଳେ ପରବର୍ତ୍ତୀ ବିଷୟଗୁଡିକ ପିଛା ୨୦୦ ଟଙ୍କା ଦେବାକୁ ହେବ । ଏସସି/ ଏସଟି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୩୦୦ ଟଙ୍କା , ଭିନ୍ନକ୍ଷମ ଓ କିନ୍ନରଙ୍କ ପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । ବିଶ୍ୱବିଦ୍ୟାଳୟ ଓ କଲେଜରେ ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ଓରିଜିନାଲ ସାର୍ଟିଫିକେଟ, ମାର୍କସିଟ୍ ସହ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ । ଛାତ୍ରଛାତ୍ରୀ ମାନେ www.dheodisha.gov.in ଓ www.samsodisha.gov.in ବିଶ୍ୱବିଦ୍ୟାଳୟ ଓ କଲେଜର ୱେବସାଇଟକୁ ଯାଇ ହଷ୍ଟେଲ ସିଟ୍ ଓ ଅନ୍ୟାନ୍ୟ ଫି ବାବଦରେ ଜାଣିପାରିବେ ।



Visitors Today : 5
Total Visitors : 130180
Total Views : 9891631
Visitors Online Now : 1