ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀ ବିନ୍ଦୁସାଗରର ସଫେଇ ପାଇଁ ଶନିବାର ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କାର୍ୟ୍ୟକ୍ରମରେ ଯୋଗ ଦେଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବିନ୍ଦୁସାଗର କୂଳରେ ଉପସ୍ଥିତ ରହିଛନ୍ତି। ଏହାଛଡ଼ା ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଅଶୋକ ପଣ୍ଡା ପ୍ରମୁଖ ବି ଏହି ଶୁଭାରମ୍ଭ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ଆଇଓସିଏଲ ଦ୍ବାରା ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି , ଭୁବନେଶ୍ୱର ଏବଂ ଓଡ଼ିଶା ସେତୁ ନିର୍ମାଣ ନିଗମ ଏହି ସଫେଇ କାର୍ୟ୍ୟ ଦାୟିତ୍ବ ନେଇଛନ୍ତି। ପ୍ରଥମେ ବିନ୍ଦୁସାଗର ପାଣି ବିଶୋଧନ କରାଯିବ ଓ ପରେ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ କରାଯିବ।ବୈଜ୍ଞାନିକ ପଦ୍ଧତିରେ ଏହାକୁ ବିଶୋଧନ କରାଯିବ। ପ୍ରାଚୀନ ଏହି ପୋଖରୀର ପୁନରୁଦ୍ଧାର କରାଯାଇ ପୂର୍ବାବସ୍ଥା ଫେରାଇ ଅଣାଯିବ। ଉଲ୍ଲେଖଯୋଗ୍ୟ, ୧୩ ଶହ ଫୁଟ ଲମ୍ୱ ଓ ୭ ଶହ ଫୁଟ ଚଉଡ଼ା ବିଶିଷ୍ଟଏହି ପବିତ୍ର ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ୟ୍ୟୀକରଣ ପାଇଁ ୨୦୦୭ ମସିହାରେ ବିଏମ୍ସି ପକ୍ଷରୁ ଏକ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ମାତ୍ର କିଛି ସୁଫଳ ମିଳିନଥିଲା। ମାତ୍ର କିଛି ଦିନ ପରେ ପୁଣି ଏହି ପୋଖରୀରେ ଦଳ ଭର୍ତ୍ତି ହୋଇଗଲା। ଏହା ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୩ ମସିହାରେ ଦଳ ସଫେଇ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଏଥିପାଇଁ ୧ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0