ଗଞ୍ଜାମ : ବଢ଼ିବାରେ ଲାଗିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଘୋଡାହାଡ ଡ଼୍ୟାମର ଜଳସ୍ତର । ଡ଼୍ୟାମର ଉପର ମୁଣ୍ଡରେ ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଥିବାରୁ ରାମ ନଦୀ ସମେତ ଅନ୍ୟାନ୍ୟ ଶାଖା ନଦୀ ମାନଙ୍କରୁ ସେକେଣ୍ଡ ପ୍ରତି ୫୭ କ୍ୟୁମିକ ବନ୍ୟାଜଳ ଡ଼୍ୟାମ ମଧ୍ୟକୁ ପ୍ରବେଶ କରୁଛି । ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବାବେଳେ ମଙ୍ଗଳବାର ସକାଳ ୬ଟା ସୁଦ୍ଧା ଜଳପତ୍ତନ ୧୧୫.୨୦ ମିଟରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଡ଼୍ୟାମ ଅଞ୍ଚଳରେ ୮୩ ମିଲିମିଟର ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି । ଯଦି ଏହିପରିଭାବେ ଜଳ ସ୍ତର ବୃଦ୍ଧି ହେବ ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ଼୍ୟାମରୁ ଯେ କୌଣସି ମୁହୂର୍ତ୍ତରେ ସ୍ପିଲୱେ ଦେଇ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଜଳସେଚନ କାର୍ଯ୍ୟାଳୟ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ଏ.ଗୋପାଳ ରାଓ କହିଛନ୍ତି ।
ଫଳରେ ଘୋଡାହାଡ ନଦୀ ତଟବର୍ତ୍ତୀ ସେବକ ଟିକରପଡ଼ା, ଗୋଲଣ୍ଡା, ବୋରିପଦର, ମଧୁବନ, ପେଣ୍ଠା, ନୁଆଗଡ, କଇଠଖଣ୍ଡି, ତଲାସିଙ୍ଗି, ଗୁମ୍ମା, ଜକମରିପଲ୍ଲି, ଜଲମରିପଲ୍ଲି, ମଳାଭଣଜା, ଖୁଲୁଡି, ତିଳେଶ୍ବର, ନୂଆଗଡ, ଲୁଣିଲାଠି, ଆମ୍ବଗାଁ, ଜଲମରା, ମହାନଳା, ପାଟପୁର, ପଳାସପୁର, ଭୋଇପଲ୍ଲି, ପନାଡ ପ୍ରଭୃତି ଗ୍ରାମଗୁଡିକରେ ଘୋଡାହାଡ ଉପଖଣ୍ଡ ଜଳସେଚନ ବିଭାଗ କାର୍ୟ୍ୟାଳୟ ପକ୍ଷରୁ ନଦୀ ମଧ୍ୟକୁ କୌଣସି ବ୍ୟକ୍ତି ଯିବାକୁ ବାରଣ କରାଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0