spot_img

ଜଟଣୀ ରାଜନୀତିର ରାସ୍ତା କେଉଁଆଡ଼େ ……

ଭୁବନେଶ୍ୱର (ଚନ୍ଦନ ପଣ୍ଡା) : ରାଜନୀତି ଏକ ବିରାଟ ମଞ୍ଚ ଯେଉଁଠାରେ ରହି ଅନେକ ଜନହିତକର କାର୍ଯ୍ୟକ୍ରମ କରିହେବ | ରାଜନୀତି ରାଜାଙ୍କର ନିତିନୁହେଁ ବରଂ ସାଧାରଣ ଜନତାଙ୍କ ହିତ ସକାଶେ ଉଦ୍ଧିଷ୍ଟ ଶ୍ରେଷ୍ଠ ନୀତି |ଜନଗଣଙ୍କ ସାମୁହିକ ସ୍ୱାର୍ଥକୁ ବହନକରି ଲୋକାଭିମୁଖୀ ଓ ନିର୍ବିବାଦୀୟ ନ୍ୟiୟ ଓ ବିଚାର ସହ ସୁଖ ଓ ଦୁଃଖରେ ସାମିଲ ହେଉଥିବା ନେତୃତ୍ଵ ହିଁ ନେତା |ଆପଣା ସ୍ୱାର୍ଥ ଓ ଲାଳସା ରୁ ଦୂରରେ ରହି ଅହରହ ଓ ଅବିରତ ଜନସାଧାରଙ୍କ ଉନ୍ନତି ଓ ସର୍ବାଙ୍ଗୀନ ବିକାଶ ପାଇଁ ଚିନ୍ତିତ ଥିବା ନେତୃତ୍ଵ ହିଁ ପ୍ରକୃତ ନେତା | ଆଗରୁ ରାଜନୀତିକୁ ସେବା ଭାବି ଅନେକ ଆଗେଇ ଆସୁଥିବା ବେଳେ ଏବେ ସମ୍ପତି ଓ ଟଙ୍କା ଠୁଳ କରିବା ପାଇଁ ରାଜନୀତିକୁ ଏକ ପ୍ରମୁଖ ବ୍ୟବସାୟରେ ପରିଣତ କରିଦିଆ ଗଲାଣି | ଆପଣମାନେ ଭାବୁଥିବେ ଏ ପ୍ରସଙ୍ଗ ର ଖିଅ କେଉଁଠୁ ? ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ |ଏବେଠାରୁ ଆରମ୍ଭ ହୋଇଗଲାଣି ଦଳବଦଳ ପ୍ରକ୍ରିୟା | ଏ ବର୍ଷର ଦଳବଦଳ ପ୍ରକ୍ରିୟା ର ପ୍ରଥମ ଶୁଭ ଦେଲେ ବାଲେଶ୍ଵର ର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ | ପରେ ପରେ କରଞ୍ଜିଆ ,ରାଇଘର , ପରଜଙ୍ଗ ,ନବରଙ୍ଗପୁର ଓ ଗତକାଲି ଜଟଣୀ ର ଅନ୍ୟ ଦଳର କର୍ମୀମାନେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି | ଯେତେବେଳେ ସାରା ରାଜ୍ୟରେ ନବୀନ ,ଶଙ୍ଖ ,ବିଜେଡି ,ସେତେବେଳେ କିନ୍ତୁ ଜଟଣୀରେ କଂଗ୍ରେସ ,ସୁର ଓ ହାତ | ସବୁଠି ଯେତେବେଳେ ନବୀନ ମୋ ପରିବାର ଶଙ୍ଖ ମୋ ଚିହ୍ନ ,ସେତେବେଳେ ସୁର ବାବୁଙ୍କର କଂଗ୍ରେସ କା ହାତ୍ ଗରିବ କା ସାଥ ଓ ଏହା ତାଙ୍କ ଜୀବନର ଶେଷ ପ୍ରତ୍ୟକ୍ଷ ନିର୍ବାଚନ ଲଢେଇ ବୋଲି କହି ସମସ୍ତଙ୍କ ମନ ଜିଣି ବିଜୟୀ ହୋଇଥିଲେ | ବିଜେବି ମହାବିଦ୍ୟାଳୟ ର ଛାତ୍ର ରାଜନୀତିରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଆବାଳବୃଦ୍ଧ ବନିତା ଙ୍କ ପ୍ରିୟ “ସୁର ଭାଇ” ରାଜ୍ୟ ରାଜନୀତିର ଚର୍ଚ୍ଚିତ ବ୍ୟକ୍ତିତ୍ୱ | ନିଜର ନିଆରା ସଂଳାପ “ମାଡିଚାଲ ,ରେଡି,ଲଗାତାଳି ,ଆ ଥୁ ,ଥୁ ” ଭଳି ଶବ୍ଦ ବ୍ୟବହାର କରି ସଭା ସମିତି ଠାରୁ ବିଭିନ୍ନ କାର୍ଯ୍ୟକ୍ରମରେ ହାସ୍ୟରୋଳ ସୃଷ୍ଟି କରିଥାଆନ୍ତି | ଜଟଣୀ ରାଜନୀତିରେ ମଧ୍ୟ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ବେଶ ପାକଳ ଓ ପରିଚିତ |ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି କୁ ବିରୋଧ କରି ୧୯୭୭ ରେ ଜନତା ପାର୍ଟି ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀଯୁକ୍ତ ରାଉତରାୟ ପରେ କଂଗ୍ରେସ ରେ ଯୋଗଦେଇ ୫ ଥର ବିଧାୟକ ଓ ଜାନକୀ ପଟ୍ଟନାୟକ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି| ସର୍ବମୋଟ ୧୦ ଥର ନିର୍ବାଚନ ଲଢ଼ିଥିବା ସୁର ବାବୁ ୪ ଥର ପରାଜୟ ବରଣ କରିଛନ୍ତି | ଅନ୍ୟ ରାଜନୈତିକ ଦଳ ବିଜେଡି ଓ ବିଜେପିର ପ୍ରତ୍ୟକ ନିର୍ବାଚନରେ ପ୍ରାର୍ଥୀ ବଦଳୁ ଥିବା ବେଳେ ସୁର ରାଉତରାୟଙ୍କର କଂଗ୍ରେସରୁ ଟିକଟ ପକ୍କା ରହିଛି | ୯୧ ରେ ଜନତା ଦଳରୁ ଶରତ ଚନ୍ଦ୍ର ପାଇକରାୟ ,ପୁଣି ୨୦୦୪ ରେ ବିଜେଡି ରୁ ଶରତ ଚନ୍ଦ୍ର ପାଇକରାୟ ,୨୦୦୯ ରେ ବିଭୂତି ଭୂଷଣ ବଳବନ୍ତରାୟ , ପୂର୍ବରୁ୨୦୦୯- ୧୪ ଭୁବନେଶ୍ୱର ଉତ୍ତର ରେ ବିଧାୟକ ଥିବା ଭାଗିରଥି ବଡ ଜେନା ୨୦୧୪ ରେ ଜଟଣୀରୁ ଲଢ଼ି ଶ୍ରୀଯୁକ୍ତ ରାଉତରାୟ ଙ୍କୁ ପରାସ୍ତ କରିଥିଲେ | ଜଟଣୀ ରାଜନୀତିରେ ସୁର ରାଉତରାୟଙ୍କୁ ଛାଡିଦେଲେ ହ୍ୟାଟ୍ରିକ ବିଜୟୀ କେହି ହୋଇନାହାନ୍ତି | ଗତ ସାଧାରଣ ନିର୍ବାଚନବେଳେ ବିଜେଡି ଛାଡ଼ି କଂଗ୍ରେସ କୁ ଯାଇଥିବା ଜଟଣୀ ନିର୍ବାଚନମଣ୍ଡଳୀର କିଛି ପୁରୁଣା ବିଜେଡି କର୍ମୀ ଗତକାଲି ପୁଣିଥରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଯାହାଫଳରେ ଜଟଣୀ ରାଜନୀତିରେ ଦେଖାଦେଇଛି ହଟ ଚମଟ | ସୂଚନା ଅନୁଯାୟୀ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ ଛୋଟରାୟ ଓ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଜଟଣୀ ଓ ଖୋର୍ଦ୍ଧା ଅଂଚଳର କିଛି ପୂର୍ବତନ ସମିତି ସଭ୍ୟ ଓ ସରପଂଚ, ବରିଷ୍ଠ କର୍ମୀମାନେ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ନେତାମାନେ ଗତ ନିର୍ବାଚନବେଳେ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ବିରୋଧ କରି କଂଗ୍ରେସ ଓ ବିଜେପିରେ ସାମିଲ ହୋଇଥିଲେ । ଏହା ସୁର ରାଉତରାୟ ଙ୍କୁ ବଡ ଝଟକା ବୋଲି କୁହାଯାଇପାରେ | କିନ୍ତୁ ଏହାର କ୍ଷତି ଭରଣା କରିବାକୁ ସୁରେଶ ରାଉତରାୟ ଅନ୍ଧାରୁଆ ସରପଞ୍ଚ ଙ୍କ ସମେତ ଅନେକ କର୍ମୀଙ୍କୁ କଂଗ୍ରେସ ରେ ସାମିଲ କରିଛନ୍ତି | ଏଭଳି ପ୍ରତିଯୋଗିତା ମୂଳକ ମିଶ୍ରଣ ପର୍ବ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି | ବିଜେଡି ମିଶ୍ରଣ ପର୍ବରେ ବିଜେଡି ନେତା ପ୍ରତାପ ଦେବ କହିଥିଲେ ଜଟଣୀ ବିଧାୟକ ବଡ ବଡ କଥା କହିଥାନ୍ତି ,ତାଙ୍କ ପୋଖରୀରେ ବହୁତ ମାଛ ଓ ତାଙ୍କ ଭାଡ଼ିରେ ବହୁତ ପାର ଅଛନ୍ତି ବୋଲି ଗଣମାଧ୍ୟମରେ ପ୍ରଚାର କରନ୍ତି |ଏହି ମିଶ୍ରଣ ପର୍ବ ଦେଖିଲେ ଲାଗୁଛି ତାଙ୍କ ପୋଖରୀ ଓ ଭାଡ଼ିରୁ ବାହାରି ଗଲେଣି ଓ ଉଡି ଗଲେଣି |କଂଗ୍ରେସ ନେତା ସୁର ରାଉତରାୟ ତାଙ୍କର ଚିରାଚରିତ ଢଙ୍ଗରେ କିଛି ପ୍ରଭାବ ପଡ଼ିବନି ୨୦୨୪ ରେ କଂଗ୍ରେସ କମିଙ୍ଗ ବିଜେଡି ଗୋଇଙ୍ଗ କହି ଏହାକୁ ହାଲୁକା ଭାବେ ନେଇଛନ୍ତି | ତେବେ ଏଠାରେ ପ୍ରଶ୍ନ ଉଠୁଛି ଦଳ ପରିବର୍ତ୍ତନ ନୀତିଗତ ଭାବେ ହେଉଛି ନା ସୁବିଧା ସୁଯୋଗ ହାସଲ ପାଇଁ ନେତା ମାନେ ଦଳ ପରିବର୍ତ୍ତନ କରନ୍ତି ? ରାଜନୀତିରେ କେହି କାହା ଶତ୍ରୁ ବା ମିତ୍ର ନୁହେଁ ଏହା ସତ୍ୟକି ? ଆଜି ଭୁଲ କହୁଥିବା ଦଳଟି କାଲି ଠିକ ହୋଇଗଲା | ତେବେ ଏଭଳି ବାରମ୍ବାର ଦଳ ବଦଳ କରୁଥିବା ନେତା ଓ ନେତ୍ରୀ ମାନେ ନରେନ୍ଦ୍ର ମୋଦି ,ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକ ଙ୍କ ଠାରୁ ଶିଖିବାର ଆବଶ୍ୟକତା ରହିଛି କି ? ଆଗାମୀ ଦିନରେ ଜଟଣୀ ଆସନ କୁ କିଏ ଦଖଲ କରୁଛି ପୁଣି ବିଜୁ ଜନତା ଦଳ ହାତକୁ ଆସୁଛି କି କଂଗ୍ରେସ ତାର ଗଡ ବଞ୍ଚାଇ ରଖୁଛି ତାହା ତ ସମୟ କହିବ | କିନ୍ତୁ ଜଟଣୀ ରାଜନୀତିର ରାସ୍ତା କେଉଁ ଆଡକୁ ଲମ୍ବୁଛି ତାହା ଆମର ଶୁଦ୍ଧି ପାଠକ /ପାଠିକା ମାନଙ୍କ ଉପରେ ଛାଡିଲୁ .

LEAVE A REPLY

Please enter your comment!
Please enter your name here

- Advertisment -

Most Popular