ବନ୍ୟା ଯୋଗୁଁ ରାଜ୍ୟରେ ଚାଷ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ଏବେ ପରିବା ଦର ଆକାଶଛୁଆଁ ହୋଇଛି। କୌଣସି ସବୁଜ ପରିବା ଦର ୫୦ ଟଙ୍କା ତଳକୁ ନାହିଁ। ପୋଟଳ ଓ ବିନ୍ସ ଭଳି ପରିବା ୧୦୦ ଟଙ୍କାକୁ ଟପି ଯାଇଛି। ବାଇଗଣ କିଲୋ ୫୦/୬୦ ଟଙ୍କାରେ ପହଞ୍ଚିଛି। ଏତିକିବେଳେ ଦାଉ ସାଧିଛି ଆଳୁ ଓ ପିଆଜ ଦର। ଖୁଚୁରା ବଜାରରେ ଆଳୁ କିଲୋ ୩୫ଟଙ୍କାକୁ ଛୁଇଁଥିବାବେଳେ ପିଆଜ ମଧ୍ୟ ତାଳ ଦେଇ ୩୦ ଟଙ୍କାରେ ପହଞ୍ଚିଛି। ପାଇକାରୀ ବଜାର ଓ ଖୁଚୁରା ବଜାର ଉପରେ ଯୋଗାଣ ବିଭାଗର ନିୟନ୍ତ୍ରଣ ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ରାଜ୍ୟ ଯୋଗାଣ ବିଭାଗ ପାଇକାରୀ ଓ ଖାଉଟି ଦର ମଧ୍ୟରେ ସନ୍ତୁଳନ ରକ୍ଷା ଦିଗରେ ଅଧିକ ତତ୍ପରତା ପ୍ରଦର୍ଶନ କରିବା ଜରୁରୀ ହୋଇପଡ଼ିଛି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। କୁବେରପୁରୀ ତଥ୍ୟ ଅନୁସାରେ ଆଳୁ କ୍ବିଣ୍ଟାଲ ପିଛା ୨୭ ଶହ ଟଙ୍କା ଓ ପିଆଜ କ୍ବିଣ୍ଟାଲ ପିଛା ୧୯ ଶହ ଟଙ୍କା ରହିଛି। ପଶ୍ଚିମବଙ୍ଗରୁ ଆଳୁ ଓ ମହାରାଷ୍ଟ୍ରରୁ ପିଆଜ ଆମଦାନୀ ହ୍ରାସ ହୋଇନାହିଁ। କିନ୍ତୁ ଖୁଚୁରା ବଜାରରେ ଆଳୁ ୩୫ ଟଙ୍କା ଅର୍ଥାତ୍ ପାଇକାରୀ ଦରଠାରୁ ୮ ଟଙ୍କା ଅଧିକ ରହିଛି। ସେହିଭଳି ପିଆଜ ମଧ୍ୟ ପାଇକାରୀ ଦରଠାରୁ ୧୦ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ପୂର୍ବରୁ ପାଇକାରୀ ଓ ଖୁଚୁରା ଦରୀ ମଧ୍ୟରେ ପାର୍ଥକ୍ୟ ୫ ଟଙ୍କା ରହୁଥିଲା। ମାତ୍ର ଏବେ ଖୁଚୁରା ବେପାରୀମାନେ ମନଇଚ୍ଛା କିଲୋ ପିଛା ୧୦ ଟଙ୍କା ପର୍ୟ୍ୟନ୍ତ ବଢ଼ାଇ ବିକ୍ରି କରୁଛନ୍ତି। ପାଇକାରୀ ଦର ଟଙ୍କାଏ ବଢ଼ିଲେ ଖୁଚୁରା ଦର ଦି’ ଟଙ୍କା ବଢ଼ିଯାଉଛି। ଯୋଗାଣ ବିଭାଗର ଆଡ଼ ନଜରର ଫାଇଦା ଉଠାଇ ଖୁଚୁରା ବେପାରୀମାନେ ଖାଉଟିମାନଙ୍କୁ ସିଧାସଳଖ ଶୋଷଣ କରୁଛନ୍ତି। ମାତ୍ର ଯୋଗାଣ ବିଭାଗ ଏ ଦିଗରେ ଆଦୌ ଧ୍ୟାନ ଦେଉନାହିଁ। ଆଳୁ ଓ ପିଆଜର ଦର ବୃଦ୍ଧି ନେଇ ବ୍ୟବସାୟୀମହଲରୁ ୨ଟି କାରଣ ଜଣାପଡ଼ିଛି। ଆସାମ, ବିହାର ଓ ଉତ୍ତରପ୍ରଦେଶରେ ବନ୍ୟା ପାଇଁ ପଶ୍ଚିମବଙ୍ଗ ଆଳୁ ବଜାରର ଚାହିଦା ବୃଦ୍ଧି ପାଇଲା। ରିଲିଫ୍ ପାଇଁ ସରକାରଙ୍କଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଂଗଠନମାନେ ଆଳୁ ପିଆଜ କିଣିଲେ। ତେଣୁ ଆପେ ଆପେ ଏହି ଦୁଇଟି ଜିନିଷର ଦାମ୍ ବଢ଼ିଗଲା। ତେବେ ଚଳିତ ବର୍ଷ ରାଜ୍ୟରେ ବନ୍ୟା ପ୍ରପୀଡ଼ିତମାନେ ଏହି ଦର ବୃଦ୍ଧି ପାଇଁ ଅଧିକ କଷଣ ଭୋଗିବେ। କରୋନା ପାଇଁ ରୋଜଗାର ହରାଇଥିବା ଲୋକେ ପରିବା ଦର ବୃଦ୍ଧି ପାଇଁ ବେଶି ହନ୍ତସନ୍ତ ହେବେ।



Visitors Today : 5
Total Visitors : 130180
Total Views : 9891628
Visitors Online Now : 0