ସାନଖେମୁଣ୍ଡି : ଦିଗପହଣ୍ଡି ସହରର ମୁଖ୍ୟରାସ୍ତା କଡ଼ରେ ନୂତନ ଭାବେ ଖୋଲାଯାଇଥିବା ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବିରେ ବୁଧବାର ସହରର ବହୁସଂଖ୍ୟକ ମହିଳା ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଉକ୍ତ ମଦ ଦୋକାନ ଲାଇସେନ୍ସ ବାତିଲ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି।
ବିଦେଶୀ ମଦ ଦୋକାନ ଖୋଲିବା ପୂର୍ବରୁ ଆପତ୍ତି ଅଭିଯୋଗ ଦରଖାସ୍ତ ଆହ୍ଵାନ କରାନଯାଇ ବେଆଇନ ଭାବେ ବିଦେଶୀ ମଦ ଦୋକାନ ଓ ରେଷ୍ଟୁରାଣ୍ଟ ଖୋଲାଯିବା ନିମନ୍ତେ ଲାଇସେନ୍ସ ପ୍ରଦାନ କରାଯାଇଛି। ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ୍, ୟୁକୋ ବ୍ୟାଙ୍କ, ପୋଷ୍ଟ ଅଫିସ, ଆହାର କେନ୍ଦ୍ର, ଏସବିଆଇ ଗ୍ରାହକ ସେବାକେନ୍ଦ୍ର ସମେତ ଅନ୍ୟାନ୍ୟ ଦୋକାନ ବଜାର ଥିବା ଜନଗହଳିପୂର୍ଣ୍ଣ ଅଞ୍ଚଳରେ କେଉଁ ଆଇନ ବଳରେ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି ସେନେଇ ତଦନ୍ତ କରିବା ନିମନ୍ତେ ସ୍ମାରକପତ୍ରରେ ଉଲ୍ଲେଖ ରହିଛି ।
ପୂର୍ବରୁ ବିଦେଶୀ ମଦ ଦୋକାନ ଖୋଲିବା ବିରୋଧରେ ଏନ୍ ଏ ସି କାଉନସିଲ ପକ୍ଷରୁ ଗତ ୨୦୧୬ ଡିସେମ୍ବର ୨୬ ତାରିଖରେ ନିର୍ଦ୍ଧାରଣ ସଂଖ୍ୟା – ୩ (ଖ) ଅନୁଯାୟୀ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ୨୦୧୮ ଜାନୁୟାରୀ ୨୦ ତାରିଖ ସର୍ବସାଧାରଣ ନୋଟିସ୍ ସଂଖ୍ୟା – ୧୨୫ ବିରୋଧରେ ସ୍ଥାନୀୟ ଜନସାଧାରଣ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ନିକଟ ଅତୀତରେ ବେଆଇନ ମଦ ବ୍ୟବସାୟ ଓ ଅସାମାଜିକ କାର୍ଯ୍ୟକଳାପକୁ କେନ୍ଦ୍ର କରି ଉକ୍ତ ବିଦେଶୀ ମଦ ଦୋକାନ ନିକଟସ୍ଥ ସୁଇଟଲାଇଟ ହୋଟେଲ ଭିତରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ବିଦେଶୀ ମଦ ଦୋକାନ ଯୋଗୁଁ ପ୍ରତିଦିନ ଛୋଟବଡ ଗଣ୍ଡଗୋଳ ଘଟୁଥିବା ସହ ସାଧାରଣ ଲୋକ ବିଶେଷକରି ମହିଳାମାନେ ଉକ୍ତ ରାସ୍ତାରେ ଚଳପ୍ରଚଳ ହେବାକୁ ନିରାପଦ ମନେ କରୁନାହାଁନ୍ତି। ବିଦେଶୀ ମଦ ଦୋକାନ ସମ୍ମୁଖରେ ପାର୍କିଂ ବ୍ୟବସ୍ଥା ନଥିବାରୁ ସେଠାରେ ସଦା ସର୍ବଦା ଟ୍ରାଫିକ ଜାମ୍ ମଧ୍ୟ ହେଉଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0