ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ହୋଇଥିବା ବର୍ଷା ଓ ପରେ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥପଡ଼ି ଓ ପାଣି ଭସାଇ ନେବାରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ୨୦ଟି ଜିଲ୍ଲାରେ ୧୪ ଲକ୍ଷ ୩୨ ହଜାର ଲୋକ ବନ୍ୟା ଜଳରେ ପ୍ରଭାବିତ ହୋଇଛନ୍ତି। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ସେହିପରି ୧୦ ହଜାର ୩୮୨ଟି ଘର ଭାଙ୍ଗିଥିବା ବେଳେ ୧ ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।
ଏସ୍ଆରସି ଦେଇଥିବା ସୂଚନା ଅନୁସାରେ ରାଜ୍ୟର ୧୧୨ଟି ବ୍ଲକର ୮୯୬ଟି ପଂଚାୟତ ବନ୍ୟା ଜଳରେ ପ୍ରଭାବିତ ହୋଇଛି, ଯେଉଥିରେ କି ୩୨୫୬ଟି ଗାଁ ରହିଛି। ସେହିପରି ୨୧ଟି ବିଜ୍ଞାପିତ ଅଂଚଳ ପରିଷଦ ମଧ୍ୟ ବନ୍ୟା ବିପର୍ୟ୍ୟର ସମ୍ମୁଖୀନ ହୋଇଛି, ଯେଉଁଥିରେ ୭୫ଟି ଓ୍ଵାର୍ଡ ରହିଛି।ବର୍ଷା ଛାଡ଼ିବାର ୨ ଦିନ ବିତିଯାଇଥିଲେ ବି ପରବର୍ତ୍ତୀ ଅବସ୍ଥା ସୁଧୁରି ନାହିଁ। ଏସ୍ଆରସି କହିଛନ୍ତି ଆଜି ୩୪୦ଟି ଗାଁ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ଏଥିରେ ୨ ଲକ୍ଷ ୬୫ ହଜାର ୭୨୩ ଜଣ ଅଛନ୍ତି। ଆଜି ୩୫୭ଟି କେନ୍ଦ୍ରରେ ୫୭ ହଜାର ୮୨୪ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି।
ଏସ୍ଆରସି କହିଛନ୍ତି, ବନ୍ୟାରେ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ୪୫ଟି ମେଡିକାଲ ଟିମ, ପଶୁମାନଙ୍କ ପାଇଁ ୪୨ଟି ଟିମ ମୁତୟନ ଅଛନ୍ତି। ସେହିପରି ୧୪ଟି ଏନଡିଆରଏଫ ଟିମ୍, ୧୭ଟି ଓଡ୍ରାଫ୍ ଟିମ୍ ଓ ୨୨ଟି ଅଗ୍ନଶମ ବାହିନୀ ଟିମ ମୁତୟନ ହୋଇଛନ୍ତି। ବନ୍ୟା ବିପନ୍ନ ଲୋକଙ୍କୁ ଉଦ୍ଧାର ପାଇଁ ୨୫୪ଟି ଡଙ୍ଗା ନିୟୋଜିତ ହୋଇଛି। ୧୧ଟି ଜିଲ୍ଲାର ୧୦୭ଟି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0