ବ୍ରହ୍ମପୁର: ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ଚିଲିକା ଏବେ ପ୍ଲାଷ୍ଟିକ୍ ବର୍ଜ୍ୟ ପାଇଁ ଅଣନିଃଶ୍ବାସୀ ହୋଇପଡ଼ିଛି। ଚିଲିକାର ଜଳଜୀବ ଓ ଜୈବ ବିବିଧତା ମଧ୍ୟ ପ୍ରଭାବିତ ହେଉଛି। ୨୦୦୨ ମସିହାରେ ଚିଲିକାରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ନିଷିଦ୍ଧ କରା ଯାଇଥିଲେ ମଧ୍ୟ ଜନସାଧାରଣ ଓ ମତ୍ସଜୀବୀଙ୍କ ମଧ୍ୟରେ ଉପଯୁକ୍ତ ସଚେତନତା ଅଭାବରୁ ତାହା ଫଳପ୍ରଦ ଭାବେ କାର୍ୟ୍ୟକାରୀ ହୋଇପାରୁ ନାହିଁ। ପ୍ଲାଷ୍ଟିକ୍ ବର୍ଜ୍ୟ ଲାଗି ଚିଲିକା ବିପଦ ଆଡ଼କୁ ଗତି କରୁଛି। ବୃହତ୍ତମ ହ୍ରଦ ଚିଲିକା ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଏହି ତିନି ଜିଲ୍ଲାର ୧୦୯୧.୧୦ ବର୍ଗ କିମି ଇଲକାରେ ବ୍ୟାପ୍ତ ହୋଇ ରହିଛି। ଚିଲିକାରେ ୫୨ଟି ଛୋଟବଡ଼ ନଦୀ ମିଶିଛି। ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ଉପରେ ସରକାର କଟକଣା ଲଗାଇଥିଲେ ହେଁ ଦିନ ଦିନକୁ ଏହାର ବ୍ୟବହାର ବୃଦ୍ଧି ପାଉଛି। ଲୋକ ବ୍ୟବହୃତ ପ୍ଲାଷ୍ଟିକ୍ ଓ ପଲିଥିନ୍ ଏଣେତେଣେ ଫୋପାଡ଼ୁଛନ୍ତି। ସେହି ପ୍ଲାଷ୍ଟିକ୍ ବର୍ଷା ଜଳରେ ଯାଇ ନଦୀ ନାଳ ଦେଇ ଚିଲିକାରେ ମିଶୁଛି। ଚିଲିକା ଆସୁଥିବା ପର୍ୟ୍ୟଟକମାନେ ପଲିଥିନ୍ରେ ଖାଦ୍ୟ ପଦାର୍ଥ ନେଇ ଆସୁଛନ୍ତି। ତାହାକୁ ଖାଇବା ପରେ ମଧ୍ୟ ଅଧିକାଂଶ ଚିଲିକା ଜଳ ରାଶିରେ ଫିଙ୍ଗି ଦେଉଛନ୍ତି। ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର କରି ଫୋପାଡ଼ିବା ପରେ ତାହା ସିଧାସଳଖ ଯାଇ ଚିଲିକାରେ ମିଶୁଛି। ଚିଲିକା ପାଣିରେ ଗଦା ଗଦା ପ୍ଲାଷ୍ଟିକ ବର୍ଜ୍ୟ ଭାସମାନ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳୁଛି। ଚିଲିକାରେ ମାଛ ଓ ଜଳଜୀବ ତାହା ଖାଉଛନ୍ତି। ମଣିଷ ଚିଲିକା ମାଛକୁ ଖାଇ ସ୍ବାସ୍ଥ୍ୟପ୍ରତି ବିପଦ ମଧ୍ୟ ଡାକି ଆଣୁଛି। ଚିଲିକା ଜଳ ଓ ମାଟିରେ ପ୍ଲାଷ୍ଟିକ୍ କିଛି ମାତ୍ରାରେ ମଧ୍ୟ ମିଶି ଯାଉଛି। ଚିଲିକାରେ ପ୍ଲାଷ୍ଟିକ୍ ବର୍ଜ୍ୟ ବୃଦ୍ଧି ଯୋଗୁଁ ଜୈବ ବିବିଧତା ଧୀରେ ଧୀରେ ବିପନ୍ନ ହେବାକୁ ବସିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କାଳିଯାଇ ମନ୍ଦିରରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଚିଲିକା ଉପକୂଳବର୍ତ୍ତୀ ଗାଁଗୁଡ଼ିକରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନ କରିବା ଲାଗି ଲୋକଙ୍କୁ ସଚେତନ କରାଯାଉଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଚେତନତା ମୂଳକ କାର୍ୟ୍ୟକ୍ରମ ବ୍ୟାପକ କରିବା ଜରୁରୀ ହୋଇପଡ଼ିଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0