ଅନୁଗୁଳ : ଅନୁଗୁଳରେ ଦ୍ରୁତ ଗତିରେ ବଢି ବଢି ଚାଲିଛି କରୋନା ସଂକ୍ରମଣ । ଏବେ ଜିଲ୍ଲାରେ ୫ ହଜାର ପାର ହୋଇଛି ସଂକ୍ରମଣ ସଂଖ୍ୟା । ଆଜି ସୁଦ୍ଧା ଅନୁଗୁଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୧୩ରେ ପହଞ୍ଚିଛି।
ତେବେ ଅନୁଗୁଳ ମେଡିକାଲ ଆଗରେ ଟେଷ୍ଟିଂ ପାଇଁ ନାହିଁ ନଥିବା ଭିଡ଼ ଲାଗୁଛି । ଅଧିକ ମାତ୍ରାରେ ଲୋକେ ଟେଷ୍ଟିଂ ପାଇଁ ଲାଇନ ଲଗାଉଛନ୍ତି । କିନ୍ତୁ ପ୍ରତିଦିନ କିଛି ସୀମିତ ଲୋକଙ୍କୁ ଟେଷ୍ଟିଂ କରାଯାଇଛି। ଆଉ ଯେଉଁମାନେ ରହି ଯାଉଛନ୍ତି ପୁଣି ଦିନେ ଅପେକ୍ଷା କରି ତାପର ଦିନ ଲାଇନରେ ଛିଡା ହେବାକୁ ପଡୁଛି।ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି।
ବଢୁଥିବା ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ ବଜାରର ପାଖାପାଖି ୨୫୦ ଜଣ ଦୋକାନୀଙ୍କ କୋଭିଡ ଟେଷ୍ଟ କରିସାରିଛି। ପାଖାପାଖି ୭୫ ଦୋକାନକୁ ସିଲ କରିଛି ପ୍ରଶାସନ। ତାକୁ ଆଖି ଆଗରେ ରଖି ଅନୁଗୁଳ ବ୍ୟବସାୟୀ ସଂଘ ପୁଣି ଥରେ ଦୋକାନ ବଜାର ବନ୍ଦ କରିବା ପାଇଁ ଆଗେଇ ଆସିଛନ୍ତି। ବଜାର ପୁଣି ଥରେ ଅପରାହ୍ନ ୨ଟା ପରେ ବନ୍ଦ ରଖିବା ପାଇଁ ସ୍ଵତପ୍ରବୃତ୍ତ ଭାବେ ନିଷ୍ପତି ନେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଆକାରେ ଜଣାଇଛନ୍ତି। ବଢୁଥିବା କୋଭିଡ ସଂକ୍ରମଣକୁ ଦେଖି ଏଭଳି ନିଷ୍ପତି ନିଆଯାଇଛି ବୋଲି ବଣିକ ସଙ୍ଘ କହିଛି। ଜିଲ୍ଲା ପ୍ରଶାସନ ମଧ୍ୟ ସଂଘର ନିଷ୍ପତିକୁ ସ୍ବାଗତ କରିଛନ୍ତି।
ବର୍ତ୍ତମାନ ସୁଧା ୮୩,୫୭୬ ଜଣଙ୍କର ସାମ୍ପୁଲ ଟେଷ୍ଟ ସରିଛି। ଏମାନଙ୍କ ମଧ୍ୟରୁ RTPCR ପଦ୍ଧତିରେ ୩୨,୦୧୨ RAT ମାଧ୍ୟମରେ ୫୧,୧୦୫ Truenat ମାଧ୍ୟମରେ ୪୫୯ ଜଣଙ୍କର ପରୀକ୍ଷା ସରିଛି। ଆଗକୁ ଆହୁରି ଅଧିକା ପରୀକ୍ଷା କରାଯିବ ବୋଲି ସୂଚନା ମଧ୍ୟ ଦିଆଯାଇଛି । ଏହା ମଧ୍ୟରେ ମୋଟ ୫୧୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୩୫ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ଜିଲ୍ଲାରେ ମୋଟ 8 ଜଣଙ୍କର କୋଭିଡ ଜନିତ ମୃତ୍ୟୁ ହୋଇଛି । କିନ୍ତୁ ଯେଉଁମାନଙ୍କର କୋଭିଡର ସାମାନ୍ୟ ଲକ୍ଷଣ ଦେଖା ଯାଉଛି। ସେମାନଙ୍କର ତୁରନ୍ତ କୋଭିଡ ପରୀକ୍ଷା କରାଇନେବା ପାଇଁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0