ନୂଆଦିଲ୍ଲୀ: ଯଥା ସମ୍ଭବ ନିକଟରୁ ଥାଇ ସୂର୍ଯ୍ୟ ଉପରେ ଅଧ୍ୟୟନ କରୁଥିବା ମହାକାଶଯାନ ‘ପାର୍କର ସୋଲାର୍ ପ୍ରୋବ୍’ ନଭେମ୍ବର ୨୧ ତାରିଖ ଦିନ ୧୦ମ ଥର ଲାଗି ସୂର୍ଯ୍ୟର ନିକଟତର ହେବ। ଏଥର ସୂର୍ଯ୍ୟ ନିକଟ ଦେଇ ଉଡ଼ିଯିବା ବେଳେ ଏହା ଘଣ୍ଟାପ୍ରତି ୫,୮୬,୮୦୦ କି.ମି. ବେଗରେ ଗତି କରି ନୂଆ ରେକର୍ଡ ସୃଷ୍ଟି କରିବ।ସେତେବେଳ ଏହି ମହାକାଶଯାନ ସୂର୍ଯ୍ୟପୃଷ୍ଠ ଠାରୁ ପ୍ରାୟ ୮.୫ ନିୟୁତ କିଲୋମିଟର ଦୂରରେ ଥିବ। ସେତେବେଳ ପ୍ରବାହିତ ସୌରବାୟୁର ଉପାଦାନ ମାପିବାକୁ ଇଞ୍ଜିନିୟର୍ମାନେ ‘ପାର୍କର ସୋଲାର୍ ପ୍ରୋବ୍’ର ବିଜ୍ଞାନ ଉପକରଣଗୁଡ଼ିକୁ ସଜାଡ଼ି ରଖିଛନ୍ତି। ଅକ୍ଟୋବର ୧୬ ତାରିଖ ଦିନ ଶୁକ୍ର ଗ୍ରହ ପାଖ ଦେଇ ‘ପାର୍କର ସୋଲାର୍ ପ୍ରୋବ୍’ ସୂର୍ଯ୍ୟାଭିମୁଖୀ ହୋଇଛି।
‘ଜନ୍ସ୍ ହପ୍କିନ୍ସ୍ ଆପ୍ଲାଏଡ୍ ଫିଜିକ୍ସ୍ ଲାବ୍ରଟରି’ସ୍ଥିତ ‘ପାର୍କର ସୋଲାର୍ ପ୍ରୋବ୍ ପ୍ରୋଜେକ୍ଟ୍’ର ବୈଜ୍ଞାନିକ ନୌର୍ ରାୱାଫି କହିଛନ୍ତି, ସୂର୍ଯ୍ୟ ନିକଟରେ କଳନା ଠାରୁ ଅଧିକ ପରିମାଣର ଧୂଳି ଦେଖୁଛୁ। ଏଯାବତ୍ ସମ୍ପୂର୍ଣ୍ଣ ରହସ୍ୟାବୃତ ହୋଇ ରହିଥିବା ସୌର ପରିବେଶକୁ ବୁଝିବା ପାଇଁ ଆମେ ଅଧୈର୍ଯ୍ୟ ହୋଇ ଅପେକ୍ଷା କରିଛୁ।
ସୌରବାୟୁ ତଥ୍ୟ ସଂଗ୍ରହ ବ୍ୟତିୀତ ‘ପାର୍କର ସୋଲାର୍ ପ୍ରୋବ୍’ ସୂର୍ଯ୍ୟର ‘ପ୍ଲାଜ୍ମା’ ଉପରେ ମଧ୍ୟ ଅଧ୍ୟୟନ କରୁଛି। ଉଡ଼ାଣରତ ‘ପାର୍କର ସୋଲାର୍ ପ୍ରୋବ୍’ ଉପରେ ବାଲି ରେଣୁ ପଡୁଥିବା ସହ ଦ୍ରୁତ ବେଗର ପ୍ରଭାବ ହେତୁ ‘ପ୍ଲାଜ୍ମା ବାଦଲ’ ସୃଷ୍ଟି ହେଉଛି ବୋଲି ‘ନାସା’ କହିଛି। ଏହି ବାଦଲ ସୃଷ୍ଟି କରୁଥିବା ଅଭିନବ ବୈଦ୍ୟୁତିକ ଚାର୍ଜକୁ ‘ପାର୍କର ସୋଲାର୍ ପ୍ରୋବ୍’ର ‘ଫିଲ୍ଡ୍ସ୍’ ଉପକରଣରେ ଥିବା କେତେକ ‘ସେନ୍ସର୍’ ସଂଗ୍ରହ କରୁଛି। ସୂର୍ଯ୍ୟ ନିକଟରେ ଥିବା ବୈଦ୍ୟୁତିକ ଏବଂ ଚୁମ୍ବକୀୟ କ୍ଷେତ୍ର ମାପିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0