ଆଜି ହେଉଛି ବାୟୁସେନାର ୮୯ତମ ପ୍ରତିଷ୍ଠା ଦିବସ | ୧୯୩୨ ମସିହା ଆଜିର ଦିନରେ ଭାରତୀୟ ବାୟୁସେନା ସ୍ଥାପନ କରାଯାଇଥିଲା। ଏହା ପରଠାରୁ ଭାରତୀୟ ବାୟୁସେନା ଦେଶପାଇଁ ଅନେକ ସେବା କରି ଆସୁଛି। ସ୍ବାଧୀନତା ପରେ ଭାରତୀୟ ବାୟୁସେନା ଚାଇନା ଓ ପାକିସ୍ତାନ ସହ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଭାରତୀୟ ସୀମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତୀୟ ବାୟୁସେନା ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥାଏ। ଏହି ଅବସରରେ ଉତ୍ତରପ୍ରଦେଶର ହିଣ୍ଡନ ଏୟାରବେସ୍ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାୟୁସେନାର ବିଭିନ୍ନ ବିମାନ ପକ୍ଷରୁ ସାମରିକ କୌଶଳ ପ୍ରଦର୍ଶନ କରାଯିବା ସହ ଲଢୁଆ ବିମାନ ମଧ୍ୟ ପ୍ରଦର୍ଶିତ ହେବ। ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁ ଯୋଦ୍ଧା ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥର ପ୍ରତିଷ୍ଠା ଦିବସର ବିଷୟବସ୍ତୁ ଆତ୍ମନିର୍ଭରଶୀଳ ଏବଂ ସକ୍ଷମ ଅଟେ। ଭାରତ-ପାକ ଯୁଦ୍ଧର ପଚାଶ ବର୍ଷ ସମାପ୍ତ ହେବାପରେ ବାୟୁସେନା କର୍ମଚାରୀମାନେ ସେମାନଙ୍କର ବୀରତ୍ୱର ଏକ ବିଶେଷ ପ୍ରଦର୍ଶନ କରିବେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0