ଭୁବନେଶ୍ୱର: ଏଣିକି ଜାତୀୟ ରାଜପଥ-୧୬ରେ ପଳାସୁଣିରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ରାସ୍ତାରେ ବିଏମ୍ସି ଯାନ୍ତ୍ରିକ ସଫେଇ କରିବନି। ଏହି ରାସ୍ତା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଯାଉଥିବାରୁ ଏନ୍ଏଚ୍ଏଆଇ ଏହାକୁ ନିୟମିତ ସଫେଇ କରିବେ। ରାସ୍ତା ଯେପରି ସଫା ସୁତରା ରହିବ, ରାସ୍ତା କଡ଼ରେ ବାଲି ଗଦା ହେବନି ତାହା ବିଏମ୍ସି କର୍ତ୍ତୃପକ୍ଷ ନିରୀକ୍ଷଣ କରିବେ ବୋଲି ନିଷ୍ପତ୍ତି ହୋଇଛି। ପ୍ରାୟ ୨୨ମାସ କାଳ ପ୍ରୋ ପାଓ୍ୱାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍ ଦ୍ୱାରା ବିଏମ୍ସି ଜାତୀୟ ରାଜପଥକୁ ନିୟମ ବାହାରକୁ ଯାଇ ସଫେଇ କରିବା ପରେ ଶେଷରେ ଓହରିଛି।
ଜାତୀୟ ରାଜପଥ-୧୬ ସଫେଇ କରିବା ପାଇଁ ଏନଏଚଏଆଇ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ୱେଜ୍ ପ୍ରାଇଭେଟ୍ ଲିମିଟେଡ (ଏସ୍ଜେଇପିଏଲ୍) ସଂସ୍ଥାକୁ ଦାୟିତ୍ୱ ଦେଇଥିବାବେଳେ ରାସ୍ତା ନିର୍ମାଣ ସମୟରେ ଏହି ସଂସ୍ଥା ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ ଠାରୁ ଅର୍ଥ ବି ନେଇଛି। ଏନ୍ଏଚ୍ କର୍ତ୍ତୃପକ୍ଷ ଓ ଏସ୍ଜେଇପିଏଲ୍ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ଏସ୍ଜେଇପିଏଲ୍ ରାସ୍ତାର ମରାମତି ସହ ନିୟମିତ ସଫେଇ, ବୁସ୍ କଟିଙ୍ଗ୍ ଆଦି କରିବ। ବରମୁଣ୍ଡାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ଏସ୍ଜେଇପିଏଲ୍ ନେଇଛି।
ସୂଚନାଯୋଗ୍ୟ ଯେ, ପ୍ରୋ ପାଓ୍ୱାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍ ଖଣ୍ଡଗିରିରୁ ପଳାସୁଣି ପର୍ଯ୍ୟନ୍ତ ଜାତୀୟ ରାଜପଥରେ (ଫ୍ଲାଏଓଭର ଉପରେ) ପ୍ରାୟ ୧୩କିମି ରାସ୍ତାରେ (୫୨କିମି ଲେନ୍ ରାସ୍ତା) ସଫେଇ କରିବାକୁ ଦିନକୁ ୨୮ହଜାର ଟଙ୍କା ନେଉଥିଲେ। ବର୍ଷକରେ ଏନ୍ଏଚ୍ ସଫା କରିବାକୁ କୋଟିଏ ଟଙ୍କା ଖର୍ଚ୍ଚ ହେଉଥିଲା। ବିଏମ୍ସି ଅଯଥାରେ ଏନ୍ଏଚ୍ରେ କୋଟିଏ ଟଙ୍କା ଖର୍ଚ୍ଚ କରୁଥିବାବେଳେ ନିଜ ରାସ୍ତାକୁ ସଫା କରୁନି ବୋଲି ବାରମ୍ବାର ଅଭିଯୋଗ ହେଉଥିଲା। ସହର ଭିତରେ ବିଭିନ୍ନ ରାସ୍ତାରେ ବାଲି ଗଦା ହେଉଥିବାରୁ ଦୁର୍ଘଟଣା ଘଟୁଥିଲା। ଯାହାକୁ ନେଇ ଜନଅସନ୍ତୋଷ ବଢ଼ୁଥିଲା।
କେବଳ ଏତିକି ନୁହେଁ ଏସ୍ଜେଇପିଏଲ୍ ମଧ୍ୟ ଏନ୍ଏଚ୍ କର୍ତ୍ତୃପକ୍ଷଙ୍କୁ କହିଥିଲା ଯେ, ପ୍ରୋ ପାଓ୍ୱାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍ ସଂସ୍ଥାକୁ ସେ ନିୟୋଜିତ କରୁଛି। ଏଥିପାଇଁ ସେ ଅର୍ଥ ଦେଉଛି। ଏନେଇ ବିଏମ୍ସି କମିସନରଙ୍କୁ ଜଣାଇବା ପରେ କମିସନର ପଦକ୍ଷେପ ନେଇଥିଲେ। ଶେଷରେ ବିଏମ୍ସି ପୂର୍ବରୁ କରିଥିବା ତ୍ରୁଟିକୁ ସୁଧାରିଛି।
ଅପରପକ୍ଷେ ବିନା ପ୍ରଶାସନିକ ଅନୁମତିରେ ବିଏମ୍ସି ରାଜଧାନୀରେ ଯାନ୍ତ୍ରିକ ସଫେଇ କରୁଥିବା ଏବଂ ବେଆଇନ ଭାବେ ସଫେଇ ସଂସ୍ଥାକୁ ପ୍ରାୟ ୫କୋଟି ଟଙ୍କା ଅଗ୍ରିମ ଦେଇଥିବା ନେଇ ଖବର ପ୍ରକାଶ ପାଇବା ପରେ ଯାନ୍ତ୍ରିକ ସଫେଇକୁ ପ୍ରଶାସନିକ ଅନୁମତି ମିଳିଛି। ନଗର ଉନ୍ନୟନ ବିଭାଗ ବାରମ୍ବାର ଫାଇଲ୍ ଫେରାଇବା ପରେ ଶେଷରେ ଏହା ଉପରେ ମୋହର ମାରିଛି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0