ଭୁବନେଶ୍ୱର: କାର୍ୟ୍ୟକାଳ ଶେଷ ହୋଇଥିବା ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପାଇଁ ପୁଣି ଥରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ପରେ ବଞ୍ଚିତ ହୋଇଥିବା ପ୍ରଫେସରଙ୍କୁ ସୁଯୋଗ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ଏଥିପାଇଁ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କଠାରୁ ଗତ ଶୁକ୍ରବାର ଉଚ୍ଚଶିକ୍ଷା ସଚିବ ଅନୁମତି ଲୋଡ଼ିଥିଲେ। ଅନୁମତି ମିଳିବା ପରେ ବୟସାଧିକ କାରଣ ପାଇଁ ଆବେଦନ କରିବାରୁ ବଞ୍ଚିତ ହୋଇଥିବା ପ୍ରଫେସରମାନଙ୍କୁ ଆଉ ଥରେ ସୁଯୋଗ ଦିଆଯାଇଛି। ଆଶାୟୀ ପ୍ରଫେସରମାନେ ଅକ୍ଟୋବର ୩ ତାରିଖ ମଧ୍ୟରେ କୁଳପତି ପଦ ପାଇଁ ଆବେଦନ କରିପାରିବେ ବୋଲି ଉଚ୍ଚଶିକ୍ଷା ସଚିବ ଆଜି ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି। ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କୁଳପତି ପଦ ପାଇଁ ଆବେଦନ କରିବାକୁ ହେଲେ ଜଣେ ପ୍ରଫେସରଙ୍କର ଅକ୍ଟୋବର ୧ ତାରିଖ ସୁଦ୍ଧା ସର୍ବାଧିକ ବୟସ ସୀମା ୬୩ ବର୍ଷ ହୋଇଥିବା ଆବଶ୍ୟକ। ଯାହାକି ପୂର୍ବରୁ ୬୨ ବର୍ଷ ରହିଥିଲା। ସେହିପରି ଯେଉଁ ପ୍ରଫେସର କୁଳପତି ଭାବେ ନିଯୁକ୍ତି ପାଇବେ ସେ ୪ ବର୍ଷ ଯାଏ ପଦରେ ରହିବେ। ପୂର୍ବରୁ ଏହା ୩ ବର୍ଷ ଥିଲା। କୁଳପତିଙ୍କ ଅବସର ବୟସ ସୀମା ୬୭ ବର୍ଷକୁ ବୃଦ୍ଧି କରାଯାଇଛି। ଯାହାକି ୬୫ ବର୍ଷ ରହିଥିଲା। ଯେଉଁ ପ୍ରଫେସରମାନେ ପୂର୍ବରୁ ଆବେଦନ କରିସାରିଛନ୍ତି ସେମାନଙ୍କୁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0