ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା ସଚିବାଳୟ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ ଅଧିକାରୀମାନଙ୍କ କୋଭିଡ ପରୀକ୍ଷା କରାଯିବ। ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏ ସଂକ୍ରାନ୍ତ ବୈଠକରେ ନିଷ୍ପତ୍ତି ହୋଇଛି। ମୌସୁମୀ ଅଧିବେଶନରେ ଯେପରି ସାମାଜିକ ଦୂରତା ରକ୍ଷା କରାଯାଇ ଅଧିବେଶନ ଅନୁଷ୍ଠିତ ହୋଇଥିଲା ସେହିପରି ସମାନ ନିୟମ ଅନୁପାଳନ ପୂର୍ବକ ଏହି ଅଧିବେଶନ ଅନୁଷ୍ଠିତ ହେବ। ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ପାଇଁ ବିଧାନସଭା ହଲକୁ ସାନିଟାଇଜ କରାଯିବା ସହ ବିଧାୟକମାନଙ୍କ ସାମାଜିକ ଦୂରତା ରକ୍ଷା ପାଇଁ ସ୍ବତନ୍ତ୍ର ଭାବେ ଆସନ ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଛି। ଆସନ୍ତା ୧୭, ୧୮ ଓ ୧୯ ତାରିଖ ୩ ଦିନ ଧରି ବିଧାନସଭା ପରିସରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ଆର.ଟି.ପି.ସି.ଆର ଟେଷ୍ଟ ହେବ। ନମୁନା ସଂଗ୍ରହକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ବିଧାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ଅଲଗା ଅଲଗା କ୍ୟାବିନ ବ୍ୟବସ୍ଥା କରାଯିବ। ବିଧାନସଭା ହଲ ଓ ତତସଂଲଗ୍ନ ପରିସରକୁ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରତ୍ୟହ ସାନିଟାଇଜ କରାଯିବ। ରିପୋର୍ଟ ନେଗେଟିଭ ଆସିଲେ ଯାଇ ବିଧାନସଭା ପରିସରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ବିଧାନସଭା ଅଧିବେଶନ କାଳରେ ଯଦି କୌଣସି ବିଧାୟକ କିମ୍ବା କର୍ମଚାରୀଙ୍କ କରୋନା ଲକ୍ଷଣ ପ୍ରକାଶ ପାଏ, ତେବେ ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ। ଏହା ସହିତ ଅଧିବେଶନ କାଳରେ ଯେଉଁ ସରକାରୀ ପଦାଧିକାରୀ ବିଧାନସଭାରେ ପ୍ରବେଶ କରିବେ, ସେମାନଙ୍କର ମଧ୍ୟ ଆର.ଟି.ପି.ସି.ଆର ଟେଷ୍ଟ କରାଯିବ। ସମସ୍ତ ବିଧାୟକ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ପ୍ରତିଷେଧକ କିଟ ପ୍ରଦାନ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।



Visitors Today : 3
Total Visitors : 130516
Total Views : 9892060
Visitors Online Now : 0