କରୋନା ମହାମାରୀ ବିମାନ ଶିଳ୍ପର ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଛି। ଏହି ଶିଳ୍ପରେ ପୁଞ୍ଜିନିବେଶ କରିବାକୁ ନିବେଶକମାନେ ଆଗ୍ରହ ଦେଖାଉନାହାନ୍ତି। ଯେଉଁ କିଛି କମ୍ପାନି ଏହି କ୍ଷେତ୍ରରେ ସକ୍ରିୟ ରହିଛନ୍ତି ସେମାନେ ଏବେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। କରୋନା ମହାମାରୀ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି। ଏବେ ବିମାନରେ ୮୦ ପ୍ରତିଶତରୁ ଅଧିକ ସିଟ୍ ଫାଙ୍କା ରହୁଛି। ସରକାରଙ୍କ ଅନେକ ପ୍ରକାର ନିର୍ଦେଶକୁ ପାଳନ କରିବାରେ ମଧ୍ୟ କମ୍ପନିଗୁଡ଼ିକୁ ବିପୁଳ ପରିମାଣର ବ୍ୟୟ କରିବାକୁ ପଡ଼ୁଛି। ଏବେ ବିମାନର ମାତ୍ର ୨୦ ପ୍ରତିଶତ ସିଟ୍ ପୂରଣ ହେଉଛି। ଗତବର୍ଷ ମାର୍ଚ୍ଚରୁ ଜୁନ୍ ମଧ୍ୟରେ ଦେଶ ଭିତରେ ୫ କୋଟି ୮୫ ଲକ୍ଷରୁ ଅଧିକ ଲୋକ ବିମାନରେ ଯାତ୍ରା କରିଥିଲେ। ଗତବର୍ଷ ଏପ୍ରିଲ୍-ଜୁନ୍ରେ ଭାରତୀୟ ବିମାନ କମ୍ପାନିଗୁଡ଼ିକ ୨୫,୫୧୭ କୋଟି ଟଙ୍କା ଆୟ କରିଥିଲେ। ଚଳିତ ବର୍ଷ ସେହି ସମୟରେ ସେମାନେ ମାତ୍ର ୩୬୫୧ କୋଟି ଟଙ୍କା ଆୟ କରିଛନ୍ତି। ଲୋକସଭାରେ ଆଜି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି। ଦେଶରେ କରୋନା ମହାମାରୀ ବ୍ୟାପିବା ପରଠାରୁ ବିମାନ ଉଡ଼ାଣ ଉପରେ କଟକଣା ଜାରି ରହିଛି। ବିକ୍ରି ହେବାକୁ ଯାଉଥିବା ସରକାରୀ ବିମାନ କମ୍ପାନି ଏୟାର ଇଣ୍ଡିଆର ସ୍ଥିତି ମଧ୍ୟ ବହୁତ ଖରାପ ହୋଇଛି। ଏହାର ରାଜସ୍ବ ଆୟ ଗତବର୍ଷ ଏପ୍ରିଲ୍-ଜୁନ୍ରେ ୭୦୬୬ କୋଟି ଟଙ୍କା ଥିଲା। ଯାତ୍ରୀ ସଂଖ୍ୟା ହ୍ରାସ ପାଇବାରୁ ବିମାନ କମ୍ପାନିଗୁଡ଼ିକ ସେମାନଙ୍କ କର୍ମଚାରୀ ସଂଖ୍ୟା ହ୍ରାସ କରିଛନ୍ତି। ୨୦୨୦ ମାର୍ଚ୍ଚରେ ବିମାନ କମ୍ପାନିଗୁଡ଼ିକରେ ୭୪,୮୮୭ କର୍ମଚାରୀ କାର୍ୟ୍ୟ କରୁଥିଲେ। ଜୁଲାଇ ସୁଦ୍ଧା ସେମାନଙ୍କ ସଂଖ୍ୟା ୬୯,୫୮୯କୁ ହ୍ରାସ ପାଇଛି। ବିମାନ ବନ୍ଦରରେ, ଗ୍ରାଉଣ୍ଡ୍ ହାଣ୍ଡଲିଂ ଓ କାର୍ଗୋ ଅପରେଟରଙ୍କ ପାଇଁ କାମ କରୁଥିବା ଅଧିକାଂଶ କର୍ମଚାରୀ ଚାକିରି ହରାଇଛନ୍ତି। ତେବେ ବିମାନ ଶିଳ୍ପରେ କରୋନା ମହାମାରୀର ରହିଥିବା ପ୍ରଭାବକୁ ଦୂର କରିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ପୁରୀ କହିଛନ୍ତି। ଦେଶ ଭିତରେ ବିମାନ ଚଳାଚଳ ଅନୁମତି ପ୍ରଦାନ କରାଯାଇଥିବା ବେଳେ ବିମାନରେ ୬୦ ପ୍ରତିଶତ ପର୍ୟ୍ୟନ୍ତ ସିଟ୍ ପୂରଣ କରିବାକୁ କମ୍ପାନିଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0