ଆନନ୍ଦପୁର: ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଆନନ୍ଦପୁର ବ୍ଲକ କୋଡପଡା ଗ୍ରାମର ବିଦ୍ୟାଧର ମୁଖୀଙ୍କ ଝିଅ ପ୍ରତିମା ମୁଖୀ (୨୧)ବର୍ଷ ବୟସ ପ୍ରତିମା ଆନନ୍ଦପୁର ଆଇଟିଆଇରେ ମାଇନିଂ ବିଭାଗରେ ପଢୁଥିଲେ। ସେ ହଷ୍ଟେଲରେ ରହୁଥିଲେ। ୨୦୨୦ ଫେବ୍ରୁଆରୀ ମାସରେ ଗୋଡ ଗାଧୁଆଘରେ ପଡିଯାଇଥିଲେ। ସେତେବେଳ ଯନ୍ତ୍ରଣା ହେବାରୁ ଔଷଧ ଖାଇଥିଲେ। ଏ ସମ୍ପର୍କରେ ଘରକୁ ଜଣାଇ ନଥିଲେ। ଆଇଟିଆଇର ବାର୍ଷିକ ଉତ୍ସବ ଥିବାରୁ ନାଚଗୀତରେ ମଧ୍ୟ ଭାଗ ନେଇଥିଲେ। ପରେ ଲୋକ୍ଡାଉନ ଯୋଗୁଁ ହଷ୍ଟେଲ ବନ୍ଦ ହୋଇଯିବାରୁ ଘରକୁ ଚାଲି ଆସିଥିଲେ। ଘରେ ରହିବାର ତିନିମାସ ପରେ ହଠାତ୍ ବାମ ଜଙ୍ଘରେ ଯନ୍ତ୍ରଣା ଆରମ୍ଭ ହୋଇଗଲା। ଧୀରେଧୀରେ ଯନ୍ତ୍ରଣା ବଢିଲା। ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ ଡାକ୍ତରଖାନା ଯାଇଥିଲେ। ଅସ୍ତ୍ରୋପଚାର ଆବଶ୍ୟକ ଥିଲେ ମଧ୍ୟ କୋଭିଡ୍ କଟକଣା ଆଳ ଦେଖାଇ ଡାକ୍ତର ଫେରାର ଦେଇଥିଲେ। ମାସେ ପରେ ପୁଣି କଟକ ଯାଇଥିଲେ ମଧ୍ୟ ଓଟି ବନ୍ଦ ରହିଥିବା କହି ପୁଣି ଫେରାଇ ଦିଆଯାଇଥିଲା।ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର ପାଇଁ ଦେଢଲକ୍ଷରୁ ଅଧିକା ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଥିଲା। ବାପା ବିଦ୍ୟାଧର ଝିଅକୁ ନେଇ ଘରକୁ ଫେରିଆସିଥିଲେ। ପାଖରେ ଯାହା ଟଙ୍କା ଥିଲା କୋଭିଡ ସମୟରେ ଝିଅର ଚିକିତ୍ସାରେ ସରିଯାଇଛି। ଅର୍ଥାଭାବରୁ ପ୍ରତିମାର ଚିକିତ୍ସା ଅଟକି ଗଲା ଏପଟେ ପ୍ରତିମା ଯନ୍ତ୍ରଣା ବଢି ଚାଲିଥିବାରୁ ସେ ଆଉ ଚଲାବୁଲା କରି ନପାରି ଗୋଟିଏ ସ୍ଥାନରେ ପଡିରହିଛି। ପାଠପଢାରେ ଡୋରି ଲାଗିଥିବାବେଳେ ବୈଷୟିକ ଶିକ୍ଷା ସମାପ୍ତ କରି ନିଜ ଗୋଡରେ ଛିଡାହେବା ଆଶା ଆଶାରେ ରହିଯାଇଛି। ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସରକାର ମାଳମାଳ ଯୋଜନା ଘୋଷଣା କରିଥିବାବଳେ ପ୍ରତିମା କ୍ଷେତ୍ରରେ ଏସବୁ କେବଳ ଘୋଷଣା ସର୍ବସ୍ବ ହୋଇଯାଇଛି। ତାଙ୍କ ଚିକିତ୍ସା ପାଇଁ କୌଣସି ସାମାଜିକ ଅନୁଷ୍ଠାନ କିମ୍ବା ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇବାକୁ ପରିବାର ଲୋକେ ନିବେଦନ ଓ ସହଯୋଗ ପାଈଁ ୭୦୭୭୯୭୩୦୨୭ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0