କେନ୍ଦୁଝର : ଖରିଫ ଧାନ କିଣା ଦୁର୍ନୀତିରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସମ୍ପୃକ୍ତ ବୋଲି ଚାଷୀ ସଙ୍ଗଠନ ଅଭିଯୋଗ ଆଣିଛି । ବିଜେପି ସଭାପତିଙ୍କ ଚାଷଜମିରେ ଉତ୍ପାଦିତ ଧାନଠାରୁ ଅଧିକ ଧାନ ସରକାରୀ ମଣ୍ଡିରେ ସେ ବିକିଥିବା ଅଭିଯୋଗ ହୋଇଛି । ସେହିପରି ତାଙ୍କ ଭାଇ ଜିଲ୍ଲା ପରିଷଦ ସଦସ୍ୟ ଶିବାଜୀ ମଧ୍ୟ ଅଧିକ ଧାନ ବିକିଥିବା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁସାରେ ସାହାରପଡା ସମବାୟ ସମିତିର ଧାନମଣ୍ଡିରେ ଚଳିତ ଖରିଫ ଧାନକିଣାରେ ୩ କୋଟିରୁ ଅଧିକ ଟଙ୍କାର ହେରଫେର ହୋଇଛି । କିନ୍ତୁ ଫେବ୍ରୁଆରୀ ମାସରୁ ଧାନ ବିକିଥିବା ପ୍ରକୃତ ୬୮ ଜଣ ଚାଷୀ ପ୍ରାପ୍ୟ ପାଇନାହାନ୍ତି । ମାତ୍ର ବିଜେପି ସଭାପତି ମାର୍ଚ୍ଚ ୨୪ ତାରିଖରେ ୧୨୦ କୁଇଣ୍ଟାଲ ଧାନ ବିକି ଏହାର ମୂଲ୍ୟ ପାଇଥିବା ରିପୋର୍ଟ ମିଳିଛି । ସମବାୟ ବିଭାଗର ଧାନକିଣା ଦାୟିତ୍ୱରେ ଥିବା ସାହାରପଡା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଖଗେଶ୍ୱର ମହାନ୍ତ ଓ ସହକାରୀ ଚିତ୍ତରଞ୍ଜନ ନାଏକ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଧାନକିଣା ଅନିୟମିତତାରେ ଜଡିତ ରହିଥିବାରୁ ଅଭିଯୋଗ କରାଯାଇଛି ।ଘଟଣାକୁ ଚପାଇ ଦେବାକୁ ଯାଇ ସମବାୟ ବିଭାଗ ଏହି ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିବା ସହିତ ଥାନାରେ ମଧ୍ୟ ଏତଲା ଦେଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0