କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରୀ ଗ୍ରାମ ପଞ୍ଚାୟତ ଅଧିନସ୍ତ ଦଳଗୁଡା ଗ୍ରାମର ୩୫ ବର୍ଷୀୟ ଗଜିନ୍ଦ୍ର ନାଏକଙ୍କ ଶବ ଫେରିଆସିଛି ତାମିଲନାଡୁରୁ ନିଜ ଗାଁକୁ । ନିଜ ପରିବାର ପ୍ରତିପୋଷଣ ପାଇଁ ତାମିଲନାଡୁ ରାଜ୍ୟର କୋଏମ୍ବଟୁର ଅଞ୍ଚଳକୁ ଦାଦନ ଭାବେ ଖଟିବାକୁ ଯାଇଥିଲେ । ସେଠାରେ ସେ ଏକ ଚାହା କମ୍ପାନୀରେ ଦିନମଜୁରିଆ ଭାବେ ନିୟୋଜିତ ହୋଇ ଥିଲେ । କିନ୍ତୁ ଗତ ସୋମବାର ଦିନ ଗଜିନ୍ଦ୍ର କାମ କରୁଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ତାଙ୍କ ପାଖରେ ଥିବା ଜଣେ ସାଥି ଗଜିନ୍ଦ୍ରଙ୍କ ପରିବାରକୁ ଏନେଇ ସୂଚନା ଦେଇଥିଲେ । ସ୍ଥାନୀୟ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ହସ୍ତକ୍ଷେପ ପରେ କଳାହାଣ୍ଡି ପ୍ରଶାସନ ଓ କୋଏମ୍ବଟୁର ପ୍ରଶାସନର ସହଯୋଗ କ୍ରମେ ଗଜିନ୍ଦ୍ରଙ୍କ ଶବ ଗାଁକୁ ଫେରିଆସିଛି । ମୃତ ଗଜିନ୍ଦ୍ରଙ୍କ ପରିବାରକୁ ସାନ୍ତ୍ବନା ଦେବାପାଇଁ ବିଧାୟକ ଶ୍ରୀ ଦିଶାରୀ ଦଳଗୁଡା ଗାଁକୁ ପହଞ୍ଚି ଥିଲେ । ସେଠାରେ ବିଧାୟକ ଶ୍ରୀ ଦିଶାରୀ “ଓଡିଶା ମୋ ପରିବାର” ପକ୍ଷରୁ ୪୦ହଜାର ଟଙ୍କା ଆର୍ଥିକ ସାହାଯ୍ୟ ଦେବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି । ହେଲେ ବିଡମ୍ବନାର ବିଷୟ ଏହି ଯେ ଗଜିନ୍ଦ୍ରଙ୍କ ମୃତ୍ୟୁ ପରେ ତିନି ଛୁଆ ଓ ବିଧବା ସ୍ତ୍ରୀର ଭାଗ୍ୟ ଓ ଭବିଷ୍ୟତ କ’ଣ ହେବ ? ଏହି ଅସହାୟ ପରିବାର ପ୍ରତି ପ୍ରଶାସନ କ’ଣ ପଦକ୍ଷେପ ନେବେ ସେହି ଚିତ୍ର ଏବେ ଅସ୍ପଷ୍ଟ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0