କଟକ : ହାଇକୋର୍ଟ ଓ ଏହାର କାର୍ୟ୍ୟାଳୟ ଜାନୁଆରି ଶେଷ ତାରିଖ ପର୍ୟ୍ୟନ୍ତ ପୂର୍ବଭଳି କଟକଣା ଭିତରେ କାର୍ୟ୍ୟ କରିବ। କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଫୁଲ କୋର୍ଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ କୋର୍ଟ କାର୍ୟ୍ୟ ନେଇ ଅଗଷ୍ଟ ୨୧ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଏହି ଅବଧି ପାଇଁ ବଳବତ୍ତର ରହିବ ବୋଲି ଆଜି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଫଳରେ ପୂର୍ବଭଳି ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲା ଶୁଣାଣି ଜାରି ରହିବ। ଉଭୟ ପୁରୁଣା ଓ ନୂଆ ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବ। ଆଇନଜୀବୀ ଓ ପକ୍ଷମାନେ ଘରୁ କିମ୍ବା କାର୍ୟ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଅଂଶ ଗ୍ରହଣ କରିବେ। ଯଦି ଶୁଣାଣି ସମୟରେ ଆଇନଜୀବୀ ଅନୁପସ୍ଥିତ ରୁହନ୍ତି ତେବେ ମାମଲାରେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ। ହାଇକୋର୍ଟ ପରିସରରେ ମାମଲା ଶୁଣାଣିରେ ଅଂଶଗ୍ରହଣ ପାଇଁ କୌଣସି ବ୍ୟବସ୍ଥା ରହିବ ନାହିଁ। ଜାରି ରହିଥିବା ବ୍ୟବସ୍ଥା ଅନୁସାରେ ନୂଆ ମାମଲା ସହିତ, ଜବାବ, ବିଚାରାଧୀନ ମାମଲାରେ ଅନ୍ତରୀଣ ଆବେଦନ ଓ ଡକୁମେଣ୍ଟ ଦାଖଲ ଇ-ଫାଇଲିଂ ପୋର୍ଟାଲ କିମ୍ବା ଇ-ମେଲ ଦ୍ବାରା କରାଯିବ। ବିକଳ୍ପ ଭାବେ ଯଦି ମାମଲା ଜରୁରୀ ଥାଏ ତେବେ ହାଇକୋର୍ଟ ପରିସରରେ ଥିବା ଡ୍ରପ ବକ୍ସରେ ଏ ସଂପର୍କିତ ଆବେଦନ ଓ ଡକୁମେଣ୍ଟ ଦାଖଲ କରିହେବ। ଦିନ ୧୦ଟାରୁ ୧ଟା ପର୍ୟ୍ୟନ୍ତ ଡ୍ରପ ବକ୍ସ ବ୍ୟବସ୍ଥା ରହିବ। ଏଥିସହିତ ରାଜ୍ୟର ସମସ୍ତ ସବଅର୍ଡିନେଟ କୋର୍ଟ ଓ ଟ୍ରିବୁନାଲର କୋର୍ଟ କାର୍ୟ୍ୟ ନେଇ ହାଇକୋର୍ଟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0