ଭୁବନେଶ୍ୱର: ରାଜ୍ୟରେ କରୋନା ଓ ବନ୍ୟା ପରିସ୍ଥିତି ବେଳେ ଲୋକଙ୍କ ସହ ରହିବାକୁ ଦଳୀୟ ବିଧାୟକଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳର ବିଧାୟକଙ୍କୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା କାଳରେ ସେମାନଙ୍କ ଦାୟିତ୍ୱ କଥା ମନେ ପକାଇ ଦେଇଛନ୍ତି । ନିଜ ସମ୍ବୋଧନରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି । ୧୧ଟି ପ୍ରସଙ୍ଗ ମଧ୍ୟରୁ ମୁଖ୍ୟମନ୍ତ୍ରୀ JEE ଏବଂ NEET ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏବେ ପରୀକ୍ଷାକୁ ମାତ୍ର ୪୮ ଘଣ୍ଟା ରହିଛି । ଏମିତିରେ କିଭଳି ପରୀକ୍ଷାର୍ଥୀ ପରିକ୍ଷା ଦେବେ ଏବଂ କେମିତି ପରୀକ୍ଷା କେନ୍ଦ୍ରକୁ ଆସି ସୁରକ୍ଷିତ ରହିବେ ସେନେଇ ଅଧିକ ଧ୍ୟାନ ଦେବାକୁ ବିଧାୟକ ମାନଙ୍କୁ କହିଛନ୍ତି । ରାଜ୍ୟର ସବୁପିଲା ଆମ ପରିବାରର । ଏଭଳି କରୋନା କଷ୍ଟ ସମୟରେ ଆପଣ ସେମାନଙ୍କ ସାଥିରେ ରୁହନ୍ତୁ ।

ସେପଟେ କରୋନା ସମୟରେ ଯୋଦ୍ଧାମାନଙ୍କ ସାଥିରେ ରହିବାକୁ ମଧ୍ୟ ବିଧାୟକ ମାନଙ୍କୁ ସେ ଆହ୍ୱାନ କରିଛନ୍ତି । ଯୋଦ୍ଧାଙ୍କ କାମକୁ ପ୍ରଶଂସା କରି ସେମାନଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ତେବେ ମୃତ କୋଭିଡ ରୋଗୀଙ୍କ ଶବ ସଂସ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି । ଏଥିପାଇଁ ଆପଣ ଲୋକଙ୍କୁ ବୁଝାନ୍ତୁ ଏବଂ ମୃତ ଦେହ ସଂସ୍କାରରେ ସହଯୋଗ କରନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି । ଗଞ୍ଜାମରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ଆଜିଠାରୁ ଗଞ୍ଜାମରେ ୫ଟି କୋଭିଡ ଗୃହ ବନ୍ଦ କରାଯାଇଛି । କରୋନା ପାଇଁ ନିଜ ରାଜ୍ୟକୁ ଫେରିଥିବା ୧୦ ଲକ୍ଷ ପ୍ରବାସୀଙ୍କ ପ୍ରତି ଅଧିକ ଧ୍ୟାନ ଦେବା ପାଇଁ କହିଛନ୍ତି । ଯୋଗ୍ୟ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେ ନାହିଁ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ପରାମର୍ଶ ଦେଇଛନ୍ତି ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 1