କୋଣାର୍କ : କୁଶଭଦ୍ରା ନଦୀର ମୁହାଣ ଦେଇ ସମୁଦ୍ରରୁ ପ୍ରବଳ ମାତ୍ରାରେ ଜୁଆର କୁଶଭଦ୍ରାକୁ ପଶୁଥିବାର ଦେଖାଯାଇଛି। ଫଳରେ କୁଶଭଦ୍ରା ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ବିଶେଷକରି ଲଘୁଚାପ ସମୟରେ ମୁହାଣ ଦେଇ କୁଶଭଦ୍ରାରେ ସମୁଦ୍ରଜଳ ପଶିବା ଫଳରେ କୁଶଭଦ୍ରା ନଦୀରେ ଜୁଆର ସୃଷ୍ଟି ହୋଇଛି। ନଦୀ ମଧ୍ୟ ଦେଇ ଆସୁଥିବା ଜୁଆର ରାମଚଣ୍ଡୀ ମନ୍ଦିର ପଛରେ ଥିବା ସୁରକ୍ଷା ପାଚେରୀରେ ପିଟି ହୋଇ ବିପଦାବସ୍ଥା ସୃଷ୍ଟି କରିଛି । ଏବେ ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଜୁଆର ଯୋଗୁ ବୋଟିଂ କଂପ୍ଳେକ୍ସ ନିକଟରେ ଥିବା ସର୍ବଭାରତୀୟ ଅଗ୍ନିଶମ ତାଲିମ କେନ୍ଦ୍ରର ତମ୍ବୁଘରେ ମଧ୍ୟ ପାଣି ପଶିଥିବା ଦେଖାଯାଇଛି। ଚଳିତବର୍ଷ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦ୍ବିତୀୟ ଥର ପାଇଁ ଚନ୍ଦ୍ରଭାଗା ବେଳାଭୂମିରେ ଇକୋ-ରିଟ୍ରିଟ୍ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମାତ୍ର ଏହି ସ୍ଥାନର ଉଭୟପାର୍ଶ୍ବରେ କିଛି ବାଟ ପର୍ଯ୍ୟନ୍ତ ଏହି ଜୁଆର ପ୍ରଭାବରେ ସମୁଦ୍ର କୂଳ ଖାଇବା ଆରମ୍ଭ କରିଛି। କିଛିମାସ ପୂର୍ବେ ଖାଲକଟାପାଟଣା ଗ୍ରାମ ପଛରେ ଥିବା ନିଆଖିଆ ନଦୀ ବନ୍ଧରୁ ରାମଚଣ୍ଡୀ ଦେଇ ପୁରୁଣା ବେଳାମାର୍ଗ ପର୍ଯ୍ୟନ୍ତ ଜିଓ ସିନ୍ଥେଟିକ ସୁରକ୍ଷାବନ୍ଧ ନିର୍ମାଣ ପାଇଁ ଆକଳନ କରାଯାଇଥିଲା। ଜଳସମ୍ପଦ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ପାଇଁ ପ୍ରସ୍ତୁତି ମଧ୍ୟ ଜୋର ଧରିଥିଲା। ମାତ୍ର ଏହି କାର୍ଯ୍ୟ ଆରମ୍ଭ ପୂର୍ବରୁ ହଠାତ ବନ୍ଦ ହୋଇ ପଡ଼ିରହିଛି। ଫଳରେ ଯଦି କେଉଁ ସମୟରେ ଅତିପ୍ରଖର ଜୁଆର ଚାରି ପାଞ୍ଚ ଘଣ୍ଟା ପାଇଁ ଲାଗି ରହେ ତେବେ ବେଳାମାର୍ଗ ପ୍ରତି ବିପଦ ରହିଛି ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। କୋଣାର୍କ-ପୁରୀ ବେଳାମାର୍ଗ ଓ ପରିବେଶ ପର୍ଯ୍ୟଟନ ପ୍ରକଳ୍ପକୁ ସୁରକ୍ଷିତ ରଖିବା ପାଇଁ ଯଥାଶୀଘ୍ର ସୁରକ୍ଷା ପାଚେରୀ କିମ୍ବା ଜିଓ ସିନ୍ଥେଟିକ ବନ୍ଧ ନିର୍ମାଣ କରିବାକୁ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0