ନୂଆଦିଲ୍ଲୀ: ‘ଡିଫେନସ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ’ (ଡିଆରଡିଓ) ଏବଂ ଭାରତୀୟ ସେନା ମିଳିତ ଭାବେ ଭାରତର ପ୍ରଥମ ସ୍ୱଦେଶୀ ୯ ଏମଏମ ମେସିନ ପିସ୍ତଲ ବିକଶିତ କରିଥିବା କଥା ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏମହୋ ଠାରେ ଥିବା ସେନାର ପଦାତିକ ସ୍କୁଲ ଏବଂ ପୁଣେରେ ଥିବା ‘ଡିଆରଡିଓ’ର ‘ଆର୍ମାମେଣ୍ଟ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଇଷ୍ଟାବ୍ଲିସମେଣ୍ଟ’ ଏହି ଅସ୍ତ୍ରର ଡିଜାଇନ କରିବା ସହ ଏହାକୁ ବିକଶିତ କରିଛନ୍ତି। ରେକର୍ଡ ସମୟ ମାତ୍ର ୪ ମାସ ମଧ୍ୟରେ ଏହି ପିସ୍ତଲଟି ବିକଶିତ ହୋଇଥିବା କଥା ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏକ ବିବୃତିରେ ମନ୍ତ୍ରାଳୟ କହିଛି, ଏହି ମେସିନ ପିସ୍ତଲ ‘ଇନ-ସର୍ଭିସ ୯ ଏମଏମ’ ଗୁଳି ବର୍ଷଣ କରେ। ଏହାର ଉପର ଭାଗ ରିସିଭର୍ଟି ବିମାନ ନିର୍ମାଣରେ ବ୍ୟବହୃତ ଆଲ୍ମିନିୟମ୍ରେ ତିଆରି ହୋଇଥିବା ବେଳେ ତଳଭାଗର ରିସିଭରଟି କାର୍ବନ ଫାଇବରରେ ତିଆରି। ଏହି ପିସ୍ତଲର ବିଭିନ୍ନ ଅଂଶର ଡିଜାଇନ ଓ ପ୍ରୋଟୋଟାଇପ ପ୍ରସ୍ତୁତି ନିମନ୍ତେ ଥ୍ରିଡି ପ୍ରିଣ୍ଟିଙ୍ଗ ପ୍ରକ୍ରିୟା ବ୍ୟବହାର କରାଯାଇଥିଲା। ବିଦ୍ରୋହ ଏବଂ ଆତଙ୍କବାଦ ଦମନ ଅଭିଯାନ ମୁକାବିଲା କ୍ଷେତ୍ରରେ ଏହି ମେସିନ ପିସ୍ତଲ ସଶସ୍ତ୍ର ବାହିନୀରେ ବ୍ୟକ୍ତିଗତ ଅସ୍ତ୍ରଭାବେ କାମ ଦେବ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ରହିଛି। ଏହାର ଉତ୍ପାଦନ ମୂଲ୍ୟ ୫୦ ହଜାର ଟଙ୍କା ମଧ୍ୟରେ ସୀମିତ ରହିବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0