କେନ୍ଦୁଝର: ଫସଲ ଅମଳ ସମୟରେ ଆତଙ୍କ ଖେଳାଇଛନ୍ତି ହାତୀ । ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ରବିବାର ବିଳମ୍ବିତ ରାତିରେ ରାଣିବେଡ଼ା ଗାଁରେ ହାତୀ ଆତଙ୍କ ସୃଷ୍ଟି କରିଛନ୍ତି । ଗାଁର ଗୋର୍ବଦ୍ଧନ ନାୟକଙ୍କ ଘର ଭାଙ୍ଗିବା ସହ ୫ ବସ୍ତା ଚାଉଳ ଖାଇ ଯାଇଛନ୍ତି ହାତୀ । ତେବେ, ହାତୀ ଘର ଭାଙ୍ଗିବା ଦେଖି ଗୋବର୍ଦ୍ଧନଙ୍କ ପରିବାର ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଜୀବନ ରକ୍ଷା କରିଛନ୍ତି । ରାଣିବେଡ଼ା ପରି ଖୁଣ୍ଟାପଡ଼ା ଗାଁରେ ମଧ୍ୟ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଏକର ଏକର ଆଳୁ ଓ କୋବି ଫସଲ ନଷ୍ଟ ହୋଇଛି । ହାତୀପଲ ଖଳାରେ ଥିବା ବସ୍ତା ବସ୍ତା ଧାନକୁ ଖାଇ ଯାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ହାତୀପଲ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିବାରୁ ହାତୀ ଉପଦ୍ରବରେ କ୍ଷୟକ୍ଷତି ନେଇ ମିଳୁଥିବା ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ହାତୀପଲଙ୍କୁ ବନ ବିଭାଗ ନ ଘଉଡ଼ାଇଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚାଷୀ ଚେତାବନୀ ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0