ମାଲକାନଗିରି : ୨୪ ବର୍ଷ ତଳେ କରିଥିଲେ ଜାଲିଆତି। ଜାଲ୍ ଜାତିଗତ ପ୍ରମାଣପତ୍ର ଦେଖାଇ କରିଥିଲେ ସରକାରୀ ଚାକିରି। ତା’ ଭିତରେ ପାଇଥିଲେ ପଦୋନ୍ନତି। କିନ୍ତୁ ଶେଷରେ ତାଙ୍କ ଜାଲିଆତି ଧରାପଡ଼ିଛି ଓ ଚାକିରିରୁ ତାଙ୍କୁ ବହିଷ୍କାର କରାଯାଇଛି। ଏଭଳି ଜାଲିଆତି କରି ଚାକିରିରୁ ବହିଷ୍କୃତ ହୋଇଥିବା କର୍ମଚାରୀ ଜଣଙ୍କ ହେଉଛନ୍ତି ଲକ୍ଷ୍ମୀପ୍ରିୟା ବେହେରା। ସେ ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗରେ ବରିଷ୍ଠ କିରାଣି ଭାବେ କାର୍ୟ୍ୟ କରୁଥିଲେ। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଠାରେ ଲକ୍ଷ୍ମୀପ୍ରିୟାଙ୍କ ବିରୋଧରେ ଅଭିଯୋଗ ହେବା ପରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ଖୋଳତାଡ଼ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଲକ୍ଷ୍ମୀପ୍ରିୟା ଏସ୍ଇବିସି ବର୍ଗର ହୋଇଥିବା ବେଳେ ଜଣେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ବିବାହ ପରେ ସେ ନିଜ ପ୍ରକୃତ ଜାତିକୁ ଲୁଚାଇ ସ୍ୱାମୀଙ୍କ ଜାତି ଆଧାରରେ ନିଜର ନୂଆ ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ତତ୍କାଳୀନ ଜୁନାଗଡ଼ ତହସିଲଦାର ମଧ୍ୟ ବିନା ଯାଞ୍ଚରେ ତାଙ୍କୁ ଅନୁସୂଚିତ ଜନଜାତି ବୋଲି ଦର୍ଶାଇ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପ୍ରମାଣପତ୍ର ଦାଖଲ କରି ସଂରକ୍ଷଣ ବର୍ଗରେ ଲକ୍ଷ୍ମୀପ୍ରିୟା ନିଯୁକ୍ତି ପାଇଥିଲେ। କନିଷ୍ଠ କିରାଣୀରୁ ଚାକିରି ଆରମ୍ଭ କରିଥିବା ଲକ୍ଷ୍ମୀପ୍ରିୟା ୟା ଭିତରେ ପଦୋନ୍ନତି ପାଇ ବରିଷ୍ଠ କିରାଣି ହୋଇଯାଇଥିଲେ। ତଦନ୍ତ ରିପୋର୍ଟ ଆସିବା ପରେ ଲକ୍ଷ୍ମୀପ୍ରିୟାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ୱାଇ.ବିଜୟ। ତା’ସହିତ ଚାକିରି କାଳରେ ସେ ସରକାରଙ୍କ ଠାରୁ ନେଇଥିବା ସମସ୍ତ ଅର୍ଥ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛୁଟିରେ ଥିବାରୁ ଲକ୍ଷ୍ମୀପ୍ରିୟା ବହିଷ୍କୃତ ଚିଠି ଗ୍ରହଣ କରି ନଥିଲେ। ତେଣୁ ତାଙ୍କ ସରକାରୀ ବାସଭବନ ଆଗରେ ପ୍ରଶାସନ ପକ୍ଷରୁ ନୋଟିସ ଲଗାଯାଇଛି।



Visitors Today : 0
Total Visitors : 130433
Total Views : 9891964
Visitors Online Now : 0