ଗୁଜୁରାଟ: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ରାଜନେତା କେଶୁଭାଇ ପଟେଲଙ୍କର ୯୨ ବର୍ଷ ବୟସରେ ପରଲୋକ ହୋଇଛି । କିଛିଦିନ ପୂର୍ବରୁ କେଶୁଭାଇ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କର ଚିକିତ୍ସା କରାଯାଇ ତାଙ୍କୁ ସୁସ୍ଥ କରାଯାଇଥିଲା । ହେଲେ ଆଜି ସକାଲେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅଳ୍ପ ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କେଶୁଭାଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ସହ କଥା ହୋଇ ସମବେଦନା ଜଣାଇଛନ୍ତି । କେଶୁଭାଇ ପଟେଲ ଗୁଜୁରାଟର ୨ ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ସେ ୧୯୯୫ ଓ ୧୯୯୮ ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୨୦୦୧ ରେ ଏକ ରାଜନୈତିକ ଅଭିସନ୍ଧି ରଖି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ଥଫା ଦେଇଥିଲେ । ଯାହା ଦ୍ୱାରା ପ୍ରଥମଥର ପରି ଦ୍ୱିତୀୟଥର ବି ସେ ତାଙ୍କର କାର୍ୟ୍ୟକାଳ ପୁରା କରିପାରି ନଥିଲେ । ଏହା ବ୍ୟତିତ କେଶୁଭାଇ ପଟେଲ ଗୁଜୁରାଟର ଉପ-ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ୨୦୦୧ ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ଥଫା ଦେବା ପରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।କେଶୁଭାଇ ପଟେଲଙ୍କ ଜନ୍ମ ୨୪ ଜୁଲାଇ ୧୯୨୮ ରେ ହୋଇଥିଲା । ଅଳ୍ପ ବୟସରେ ସେ ସଂଘ ପରିବାରରେ ଯୋଗ ଦେଇଥିଲେ । ଏହା ପରେ ଜନସଂଘ ଓ ପରେ ବିଜେପି ସହିତ ସେ ନିଜର ରାଜନୈତିକ କ୍ୟାରିଅର ଅନେକ ଲମ୍ବା ସମୟ ପର୍ୟ୍ୟନ୍ତ କଟାଇଥିଲେ ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0