ନୂଆଦିଲ୍ଲୀ : ବିଶ୍ୱ ସ୍ୱର୍ଣ୍ଣ ପରିଷଦ ରିପୋର୍ଟ ମୁତାବକ ଚଳିତ ବର୍ଷ ଭାରତରେ ଏପ୍ରିଲ-ଜୁନ ମାସରେ ସୁନା ଚାହିଦା ୭୦ ପ୍ରତିଶତ ହ୍ରାସ ପାଇଛି । କରୋନା କଟକଣା ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ପାଇଁ ସୁନା ଚାହିଦା ହ୍ରାସ ପାଇ ୬୩.୭ ଟନ ରହିଯାଇଛି । ୨୦୧୯ ମସିହାରେ ଏହାର ଚାହିଦା ୨୧୩.୨ ଟନ ରହିଥିଲା । ମୋଟାମୋଟି ଭାବେ ଦେଶରେ ପ୍ରଥମ ୬ ମାସ ମଧ୍ୟରେ ସୁନା ଚାହିଦା ୫୬ ପ୍ରତିଶତ ହ୍ରାସ ପାଇ ୧୬୫.୬ ଟନ ରହିଛି । ଗୁରୁବାର ବିଶ୍ୱ ବଜାର ରେ ସୁନା ୫୩,୪୨୯ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଯାଇଛି । ବିଶ୍ୱ ସ୍ୱର୍ଣ୍ଣ ପରିଷଦର ରିପୋର୍ଟ ମୁତାବକ ମୂଲ୍ୟ ହିସାବରେ ଦ୍ୱିତୀୟ ତ୍ରୟମାସରେ ଭାରତରେ ସୁନା ଚାହିଦା ହ୍ରାସ ପାଇ ୨୬ ହଜାର ୬୦୦ କୋଟି ଟଙ୍କା ରହିଛି ଯାହା ଗତ ବର୍ଷ ସମାନ ତ୍ରୟମାସରେ ୬୨ ହଜାର ୪୨୦ କୋଟି ଟଙ୍କା ଥିଲା । ମୂଲ୍ୟ ହିସାବରେ ଅଳଙ୍କାର ଚାହିଦା ୬୩ ପ୍ରତିଶତ ହ୍ରାସ ପାଇ ୧୮ ହଜାର ୩୫୦ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷ ସମାନ ଅବଧିରେ ୪୯ ହଜାର ୩୮୦ କୋଟି ଟଙ୍କା ଥିଲା । ସେହିଭଳି ନିବେଶ ପାଇଁ ସୁନା ଚାହିଦା ୫୬ ପ୍ରତିଶତ ହ୍ରାସ ପାଇ ୧୯.୮ ଟନ ରହିଛି ଯାହା ବର୍ଷେ ପୂର୍ବରୁ ସମାନ ଅବଧିରେ ୪୪.୫ ଟନ ରହିଥିଲା । ମୂଲ୍ୟ ହିସାବରେ ସୁନା ନିବେଶ ଚାହିଦା ୩୭ ପ୍ରତିଶତ ହ୍ରାସ ପାଇ ୮୨୫୦ କୋଟି ଟଙ୍କା ରହିଛି ଯାହା ଗତ ବର୍ଷ ୧୩ ହଜାର ୪୦ କୋଟି ଟଙ୍କା ଥିଲା । ଦେଶରେ ସୁନା ରିସାଇକିଲିଂ ମଧ୍ୟ ୬୪ ପ୍ରତିଶତ ହ୍ରାସ ପାଇ ୧୩.୮ ଟନ ହୋଇଛି ଯାହା ପୂର୍ବରୁ ୩୭.୯ ଟନ ଥିଲା । ଫଳରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସୁନା ଇଟିଏଫ କ୍ରୟରେ ସାମାନ୍ୟ ଲାଭ ହୋଇଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0