ନୂଆଦିଲ୍ଲୀ: ଦେଶରେ ବନ୍ୟଜନ୍ତୁଙ୍କ ହତ୍ୟା ରୋକିବାକୁ ପଦକ୍ଷେପ ନେବା ପାଇଁ ବିଜେଡି ସାଂସଦ ଅନୁଭବ ମହାନ୍ତି କରିଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବ୍ଡେଙ୍କ ନେତୃତ୍ବାଧୀନ ଗଠିତ ଖଣ୍ଡପୀଠ ଗ୍ରହଣ କରିବା ସହ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।
ନୋଟିସ୍ ଜାରି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବ୍ଡେ ମତ ରଖିଛନ୍ତି ଯେ ‘ଆମେ ଏ ବିଷୟରେ ଗଭୀର ଭାବେ ଚିନ୍ତା କରୁଛୁ। ବନ୍ୟଜନ୍ତୁମାନେ ଚାଷ ଜମି ନଷ୍ଟ କଲା ବେଳେ ସେମାନଙ୍କୁ ମାରିବା ଉଚିତ ନା ନୁହେଁ? ଯଦି କୌଣସି ବଣୁଆ ଜନ୍ତୁ କିମ୍ବା ହାତୀ ଫସଲ ନଷ୍ଟ କରୁଥାନ୍ତି ତ ସେ ପରିସ୍ଥିତିରେ କ’ଣ କରାଯିବ? ମାତ୍ର ହଁ, ୫୦ଟି ନୀଳ ଗାଈକୁ ମାରିବା ଆଦୌ ବି ଯଥାର୍ଥ ନୁହେଁ। ଏହାବ୍ୟତୀତ ‘ଭର୍ମିନ୍ କିଲିଂ’ (ବନ୍ୟଜନ୍ତୁ ହତ୍ୟା)କୁ ପ୍ରୋତ୍ସାହନ ଦେଇ କରାଯାଉଥିବା ବିଭିନ୍ନ ପ୍ରକାରର ଖେଳ ଓ ପୁରସ୍କାର ଆଦିକୁ ବନ୍ଦ କରିବା ପାଇଁ ନୋଟିସ୍ରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ହାନିକାରକ କୁହାଯାଉଥିବା ବନ୍ୟପ୍ରାଣୀଙ୍କୁ ନିର୍ବିଚାର ଓ ନିର୍ଦ୍ଦୟ ଭାବେ କରାଯାଉଥିବା ହତ୍ୟା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଓଡ଼ିଶାର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସୁପ୍ରିମ୍ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ନୀଳଗାଈ, ପାତି ମାଙ୍କଡ଼ ଏବଂ ବନ୍ୟ ବରାହ ଆଦି ଜନ୍ତୁଙ୍କୁ ମାରିବାକୁ ବିହାର, ହିମାଚଳ ପ୍ରଦେଶ ଏବଂ କେରଳ ଭଳି ରାଜ୍ୟ ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି। ଫଳରେ ଫାଶ, ତାର ଯନ୍ତା, ବିସ୍ଫୋରକ ଏବଂ ବିଷ ମିଶ୍ରିତ ଖାଦ୍ୟ ପ୍ରଲୋଭନ ଦ୍ବାରା କେତେକ ପ୍ରାଣୀ ଓ ଜଣେ ପିଲାର ମୃତ୍ୟୁ ରିପୋର୍ଟକୁ ଆଧାର କରି ଏହି ପିଟିସନ୍ ଆଗତ କରାଯାଇଥିଲା।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0