ନୂଆଦିଲ୍ଲୀ: ଗୁଗୁଲର ପେମେଣ୍ଟ ନୀତିକୁ ନେଇ ଚିନ୍ତିତ ଭାରତୀୟ କମ୍ପାନୀ । ମୋବାଇଲ ଆପ୍ ଜରିଆରେ କାରବାର କରୁଥିବା ଭାରତୀୟ ସଂସ୍ଥା ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥି ସହ ଏହାର ସମାଧାନ ବାଟ ବାହାର କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି । ଦେଶରେ ପ୍ରାୟ ୯୦ ପ୍ରତିଶତ ମୋବାଇଲ୍ ଫୋନ୍ରେ ଗୁଗୁଲ୍ର ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ରହିଛି। ତେଣୁ ଆପ୍ ଭିତରେ ହେଉଥିବା ସବୁ ପ୍ରକାର ପେମେଣ୍ଟ୍ ଲାଗି ଭାରତୀୟ କଂପାନିଗୁଡ଼ିକ ଗୁଗୁଲ୍ର ସେବା ବ୍ୟବହାର କରିବାକୁ ବାଧ୍ୟ। ସେମାନଙ୍କ ଉପରେ ୩୦ ପ୍ରତିଶତ ଭଳି ଶୁଳ୍କକୁ କମିସନ ଆକାରରେ ଲାଗୁ କରିବା ବେଆଇନ। ଏଭଳିକି ବଡ଼ ବଡ଼ କଂପାନି ମଧ୍ୟ ଏବେ ମୋଟା ଅଙ୍କର କମିସନ ଦେଇପାରିବେ ନାହିଁ ବୋଲି ଷ୍ଟାର୍ଟଅପ୍ ଓ ପ୍ରଯୁକ୍ତି ସଂସ୍ଥାର ମାଲିକମାନେ ସରକାରଙ୍କୁ ଜଣାଇଛନ୍ତି। ମୋବାଇଲ୍ ଆପ୍ ଭିତରେ ହେଉଥିବା କିଣାକିଣି ଉପରେ ଗୁଗୁଲ୍ ୩୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଅନ୍ୟ ଦେଶଗୁଡ଼ିକରେ ଗୁଗୁଲ୍ର ଏହି ନୀତି ପୂର୍ବରୁ ପ୍ରଚଳନରେ ରହିଛି। ତାହାକୁ ଭାରତରେ କାର୍ୟ୍ୟକାରୀ କରିବା ବିଷୟରେ ଗୁଗୁଲ୍ ଘୋଷଣା କରିବା ପରେ ଭାରତୀୟ ସଂସ୍ଥାଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି।
ଭାରତରେ ଷ୍ଟାର୍ଟଅପ୍ ଓ ଇଣ୍ଟରନେଟ୍ କଂପାନିଗୁଡ଼ିକର ସଂଘ ଦି ଇଣ୍ଟରନେଟ୍ ଆଣ୍ଡ୍ ମୋବାଇଲ୍ ଆସୋସିଏସନ ଅଫ୍ ଇଣ୍ଡିଆ (ଆଇଏଏମ୍ଏଆଇ) ଅଧୀନରେ ଦେଶର ୨୫ଟି ପ୍ରମୁଖ ଷ୍ଟାର୍ଟଅପ୍ ଓ ପ୍ରଯୁକ୍ତି ସଂସ୍ଥାର ପ୍ରତିଷ୍ଠାତା ଏକତ୍ରୀତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ପେଟିଏମ୍, ପଲିସି ବଜାର ଡଟ୍ କମ୍, ମାଟ୍ରିମୋନି ଡଟ୍ କମ୍, ସିସି ଆଭେନ୍ୟୁ, ଫୋନ୍ପେ, ରେଜରପେ, ଡ୍ରିମ୍ ୧୧, ସେୟାରଚାଟ୍ ଏବଂ ପେମେଣ୍ଟ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଭଳି ସଂସ୍ଥାର ମୁଖ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଗୁଗୁଲ୍ ବିରୋଧ କ’ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ତାହାର ସମ୍ଭାବନାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ପ୍ରତିଯୋଗିତା କମିସନଙ୍କ ନିକଟରେ ଗୁଗୁଲ୍ ବିରୋଧରେ ଅଭିଯୋଗ ଦାଖଲ କରିବା ଉପରେ ଆଇଏଏମ୍ଏଆଇ ବିଚାର କରୁଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0