ହାଥରସ – ଉତ୍ତର ପ୍ରଦେଶର ହାଥରସରେ ଦଳିତ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ଏବଂ ମୃତ୍ୟ ଘଟଣାରେ ପୂରା ଦେଶରେ ଆକ୍ରୋଶର ମାହୋଲ ରହିଛି। ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ମଧ୍ୟ ପୀଡିତାଙ୍କ ସହିତ ଦୁଷ୍କର୍ମ ହୋଇନଥିବା କହିଛି। ଏବେ ଉତ୍ତର ପ୍ରଦେଶ ପୋଲିସ ନିଜର ଅପାରଗତା ଓ ସତ ଲୁଚାଇବାକୁ ଜୋରସୋରରେ ଉଦ୍ୟମ ଚଳାଇଛି। ଗତକାଲି ହାଥରସ ଜିଲ୍ଲାପାଳ ପୀଡିତାଙ୍କୁ ଧମକ ଦେଇଥିବା ବେଳେ ଆଜି ଗାଁରେ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା ଲଗାଯାଇଛି। କୌଣସି ନେତାଙ୍କ ମଧ୍ୟ ଗାଁକୁ ଯିବାକୁ ଅନୁମତି ଦିଆଯାଉନାହିଁ। ଗତକାଲି ଜିଲ୍ଲାପାଳ ପୀଡିତା ପରିବାରକୁ ଧମକ ଦେଇଥିଲେ ଯେ, ମିଡିଆ ତ ଆଉ କିଛି ଦିନ ପରେ ଚାଲିଯିବେ କିନ୍ତୁ ପ୍ରଶାସନ ଏଠାରେ ଅଛି। ଏହା ପୂର୍ବରୁ ଗୁରୁବାର ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କୁ ହାଥରସ ଯିବାକୁ ରୋକା ଯାଇଥିଲା। ଆଜି ଟିଏମସି ସାଂସଦ ଡେରେକ ଓ ବ୍ରାୟନଙ୍କୁ ରୋକା ଯାଇଛି ଏବଂ ତାଙ୍କ ସହିତ ଦୁର୍ବ୍ୟବହାର ମଧ୍ୟ ହୋଇଛି। କେବଳ ଏତିକି ନୁହେଁ ଆଜି ଗାଁରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଛି। କାରଣ ସରକାରଙ୍କୁ ଭୟ ରହିଛି ଯେ, ପ୍ରଶାସନର ଦୁର୍ବଳତା ଏବଂ ସତ କାଳେ ସାମ୍ନାକୁ ଆସିଯିବ। ସେଥିପାଇଁ ଆଜି ଗାଁରେ ମିଡିଆକୁ ପୂରାଇ ଦିଆଯାଉ ନାହିଁ। ପୋଲିସ ବଳ ପ୍ରୟୋଗ କରାଯାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଟକାଯାଉଛି। ଆଜି ଜାତୀୟ ଗଣମାଧ୍ୟମର କୌଣସି ପ୍ରତିନିଧିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦିଆ ଯାଉନାହିଁ। ଶୁକ୍ରବାର ଲକ୍ଷ୍ନୌରେ ଘଟଣାକୁ ନେଇ ସମାଜବାଦୀ ପାର୍ଟିର ନେତା ଉପରେ ପୋଲିସ ଲାଠିଚାର୍ଜ କରିଛି। ଏଥିରେ ପାର୍ଟିର କର୍ମକର୍ତ୍ତା ଆହତ ମଧ୍ୟ ହୋଇଛନ୍ତି। କାଳେ ସତ ପଦାକୁ ଆସିଯିବ ଏହି କାରଣରୁ ପୂରା ପ୍ରଶାସନ ପୂରା ଦମରେ ଏହାକୁ ଲୁଚାଇବାକୁ ଲାଗି ପଡିଛି। ଗତକାଲି ହାଥରସ ଜିଲ୍ଲାପାଳ ପ୍ରବୀଣ କୁମାରଙ୍କ ଭିଡିଓ ସାମ୍ନାକୁ ଆସିଥିଲା। ଜିଲ୍ଲାପାଳ ପରିବାର ଲୋକଙ୍କୁ କହୁଛନ୍ତି ମିଡିଆ ଆଜି ଅଛି, କାଲି ଚାଲିଯିବେ। ଆପଣଙ୍କୁ ଆମ ସହିତ ରହିବାକୁ ପଡିବ। ତେଣୁ ଯାହା ସାହାଯ୍ୟ ଦିଆଯାଉଛି ସ୍ଵୀକାର କରି ନିଅନ୍ତୁ। ସ୍ପଷ୍ଟ ଭାବେ ଜିଲ୍ଲାପାଳ ପରିବାର ଲୋକଙ୍କୁ ଦେଇଥିବା ଧମକ ଚପାଇବାକୁ ଉଦ୍ୟମ କରାଯାଉଛି। ହାଥରସର ଏଡିଏମ ଜେପି ସିଂହ ଓ ଓକିଲ ସୀମା କୁଶଓ୍ଵାହାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସୀମା କୁଶଓ୍ଵାହା ପୀଡିତାଙ୍କ ପରିବାରଙ୍କୁ ଭେଟିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଏସଡିଏମ ଯିବାକୁ ଦେଉ ନାହାନ୍ତି। ଉଲ୍ଲେଖନୀୟ ସୀମା କୁଶଓ୍ଵାହା ହେଉଛନ୍ତି ସେହି ଓକିଲ ଯିଏ ଦିଲ୍ଲୀ ନିର୍ଭୟା କେସ୍ ଲଢିଥିଲେ ଏବଂ ପୀଡିତାଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ କରିଥିଲେ। ଏବେ ସେ ହାଥରସର ନିର୍ଭୟା ପରିବାରକୁ ସାହାଯ୍ୟ କରିବେ ବୋଲି କହିଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0