କରୋନା ମହାମାରୀ ବ୍ୟାପିବା ପରେ ରାଜ୍ୟଗୁଡ଼ିକର ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସଙ୍କଟର ମୁକାବିଲା ନିମନ୍ତେ ଦରକାର ହେଉଥିବା ପାଣ୍ଠି ଯୋଗାଡ଼ କରିବା ଲାଗି ରାଜ୍ୟଗୁଡ଼ିକ ବଜାର ଋଣ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଚଳିତ ବର୍ଷ ଏପ୍ରିଲ୍ ୭ରୁ ସେପ୍ଟେମ୍ବର ୮ ମଧ୍ୟରେ ଓଡ଼ିଶା ସରକାର ବଜାରରୁ ୩୦୦୦ କୋଟି ଟଙ୍କାର ଋଣ କରିଛନ୍ତି। ଗତବର୍ଷ ତୁଳନାରେ ରାଜ୍ୟର ଋଣ ୫୦ ପ୍ରତିଶତ ବଢ଼ିଛି ବୋଲି କେୟାର ରେଟିଙ୍ଗସ୍ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ସେହି ସମୟରେ ଓଡ଼ିଶା ସରକାରଙ୍କ ବଜାର ଋଣ ପରିମାଣ ୨୦୦୦ କୋଟି ଟଙ୍କା ଥିଲା।କେୟାର ରେଟିଙ୍ଗସ୍ ରିପୋର୍ଟ ଅନୁଯାୟୀ, ମହାମାରୀ ଆରମ୍ଭ ହେବାର ପରବର୍ତୀ ସମୟରେ ପ୍ରାୟ ସବୁ ରାଜ୍ୟର ଋଣ ବଢ଼ିିଛି। ଷ୍ଟେଟ୍ ଡେଭେଲପ୍ମେଣ୍ଟ୍ ଲୋନ୍ (ଏସ୍ଡିଏଲ୍) ଜାରି କରି ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାଉଛନ୍ତି। ଚଳିତ ବର୍ଷ ଏପ୍ରିଲ୍ ପ୍ରଥମ ସପ୍ତାହରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ଦେଶର ୨୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳ ମୋଟ୍ ୨.୯୭ ଲକ୍ଷ କୋଟି ଟଙ୍କାର ଋଣ କରିଛନ୍ତି ଯାହା ଗତବର୍ଷର ସେହି ସମୟରେ କରାଯାଇଥିବା ୧.୯୭ ଲକ୍ଷ କୋଟି ଟଙ୍କାର ଋଣ ଠାରୁ ୫୧ ପ୍ରତିଶତ ଅଧିକ। ଚଳିତ ବର୍ଷ ୨୬ଟି ରାଜ୍ୟ ଏସ୍ଡିଏଲ୍ ଜାରି କରି ଋଣ ଆଣିଛନ୍ତି। ୯ଟି ରାଜ୍ୟର ଋଣ ଭାର ଗତବର୍ଷ ତୁଳନାରେ ୫୦ ପ୍ରତିଶତ ବଢ଼ିଥିଲା ବେଳେ ୫ଟି ରାଜ୍ୟର ଋଣରେ ୨୦-୪୧ ପ୍ରତିଶତ ଭିତରେ ବୃଦ୍ଧି ହୋଇଛି। ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ, ଆସାମ, ବିହାର, ଅରୁଣାଚଳପ୍ରଦେଶ ଓ ହିମାଚଳପ୍ରଦେଶ ହେଉଛି ଆଠଟି ରାଜ୍ୟ ଯେଉଁମାନେ ଗତବର୍ଷ ତୁଳନାରେ କମ୍ ଋଣ କରିଛନ୍ତି। କର୍ଣ୍ଣାଟକ ଗତବର୍ଷ ତୁଳନାରେ ସର୍ବାଧିକ ୪୭୫ ପ୍ରତିଶତ ଅଧିକ ଋଣ କରିଛି। ମହାରାଷ୍ଟ୍ର ୨୦୦ ପ୍ରତିଶତ ଓ ତାମିଲନାଡୁ ୧୧୭ ଅଧିକ ଋଣ ଆଣିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0