ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ଜୟଦେବ ବିହାର ଛକରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୨୦୨୧–୨୧ ଆର୍ଥିକ ବର୍ଷରେ ବଜେଟ୍ ବରାଦ ମଧ୍ୟ ହେବ ବୋଲି ଜଣାପଡ଼ିଛି। ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଆସନ୍ତା ଫେବୃୟାରୀ ମଧ୍ୟଭାଗରେ ଆଗତ ହେବାକୁ ଥିବା ୨୦୨୧–୨୨ ଆର୍ଥିକ ବର୍ଷ ବଜେଟରେ ଜୟଦେବ ବିହାରଠାରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ ରାସ୍ତା ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କଳିଙ୍ଗ ହସ୍ପିଟାଲ ଛକ ଓ ଡମଣା ଛକଠାରେ ଦୁଇଟି ଫ୍ଲାଏଓଭର ବ୍ରିଜ୍ ମଧ୍ୟ ନିର୍ମାଣ ହେବ।
୨୦୨୧–୨୨ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ମୋଟ ୩୦ଟି ବ୍ରିଜ୍ ,୨ଟି ରେଳ ଓଭର ବ୍ରିଜ୍ ଓ ଏକ ହଜାର କିମି ରାସ୍ତାର ଉନ୍ନତିକରଣ ପାଇଁ ୨୧୭୯.୬୨ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହେବ ବୋଲି ଜଣାପଡ଼ିଛି। ଏହି ଅର୍ଥରେ ବୃହତ୍ ପ୍ରକଳ୍ପ ଭାବେ ଜୟଦେବ ବିହାରଠୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ ଓ ୨ଟି ଫ୍ଲାଏଓଭର ନିର୍ମାଣ ସମେତ ଭୁବନେଶ୍ୱର ରିଙ୍ଗ ରୋଡ୍ (ଧଉଳିଠୁ ତମାଣ୍ଡୋ), ଭୁବନେଶ୍ୱର ଦୟା–ପଶ୍ଚିମ କେନାଲ ରାସ୍ତା, ତାଳଦଣ୍ଡା କେନାଲ ରାସ୍ତାର ଉନ୍ନତିକରଣ(ରାଣୀହାଟ ଛକଠୁ ଏନଏଚ–୧୬ ପର୍ଯ୍ୟନ୍ତ), ତାଳଦଣ୍ଡା କେନାଲ ଉପରେ ବ୍ରିଜ୍ ନିର୍ମାଣ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସହାୟକ ରାସ୍ତା ଓ ପ୍ରବେଶ ପଥ, କଟକ ରିଙ୍ଗ ରୋଡକୁ ୬ଲେନ୍ ବିଶିଷ୍ଟ କରିବା ସହ ବ୍ରହ୍ମପୁର ରିଙ୍ଗ ରୋଡ୍ ,ବଲାଙ୍ଗିର ରିଙ୍ଗ ରୋଡ୍, ଭବାନୀପାଟଣା ସହରର ବାହ୍ୟ ରୋଡ୍ ନିର୍ମାଣ କରାଯିବ। ଏହାସହିତ କଟକ–ପାରାଦୀପ ରାସ୍ତା(ବିରିବାଟୀଠୁ ପାରାଦୀପ ପର୍ଯ୍ୟନ୍ତ)କୁ ୪ ଲେନ୍ ବିଶିଷ୍ଟ କରିବା ନିମନ୍ତେ ଆସନ୍ତା ବଜେଟରେ ବ୍ୟୟବରାଦ ହେବ ବୋଲି ସୂଚନା ମିଳିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0