ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୧୩ ତାରିଖ ବେଳକୁ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆନ୍ଧ୍ରପ୍ରଦେଶ ଉପକୂଳରେ ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖଠାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ଆଜି ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ପରାମର୍ଶ ଦିଆଯାଇଛି। ଆସନ୍ତା ୫ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୦ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଉପକୂଳ ଓଡ଼ିଶାର ଅନ୍ୟ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାରେ ଘଡ଼ଘଡ଼ି ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି ଯେ ଓଡ଼ିଶାରେ ମୌସୁମୀ ଏବେ ଦୁର୍ବଳ ରହିଛି। ତେବେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଦୁଇ ଦିନ ପର୍ୟ୍ୟନ୍ତ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୧୨ ଓ ୧୩ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ମୌସୁମୀ ଅଧିକ ସକ୍ରିୟ ରହିବ। ଫଳରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁରର ଅଧିକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0