ଭୁବନେଶ୍ୱର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ସାରା ଦେଶରେ ନିଟ୍(ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ଅନୁଷ୍ଠିତ ହୋଇଛି। କୋଭିଡ୍-୧୯ କଟକଣା ମଧ୍ୟରେ ଅଫ୍ଲାଇନ୍ରେ ହେଉଥିବା ଏହି ପରୀକ୍ଷାରେ ୮୫%ରୁ ୯୦% ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ମୋଟ ୧୫ ଲକ୍ଷ ୯୫ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ପ୍ରାୟ ଦୁଇ ଲକ୍ଷ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ପରୀକ୍ଷାରେ ସମସ୍ତ ପ୍ରକାର ସହଯୋଗ ଓ ସୁପରିଚାଳନା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଟୁଇଟ୍ କରି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଏନଟିଏ ମହାନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ୭୭% ଛାତ୍ରଛାତ୍ରୀ ଇଂରାଜୀ ଭାଷାରେ ପରୀକ୍ଷା ଦେଇଥିବା ବେଳେ ହିନ୍ଦୀରେ ୧୨% ଓ ଅନ୍ୟାନ୍ୟ ଭାଷାରେ ୧୧% ଛତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଓଡ଼ିଆ ଭାଷାରେ ୧%ରୁ କମ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି। ପରୀକ୍ଷାରେ କରୋନା ପଜିଟିଭ୍ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଇ ନାହିଁ। ସେମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ପରୀକ୍ଷା କରାଯିବା ନେଇ ଘୋଷଣା କରାଯିବ। ଦେଶର ଏକ ଲକ୍ଷ ଏମବିବିଏସ୍ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଏହି ପ୍ରବେଶିକା ପରୀକ୍ଷା ଫଳ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0