ବେଙ୍ଗାଲୁରୁ: କରୋନା ସଙ୍କଟ ଯୋଗୁ ବନ୍ଦ ରହିଥିବା କଲେଜ ଗୁଡ଼ିକୁ ନଭେମ୍ବର ୧୭ରୁ ଖୋଲିବା ପାଇଁ କର୍ଣ୍ଣାଟକ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ସମସ୍ତ ଡିପ୍ଲୋମା, ଇଞ୍ଜିନିୟରିଂ ଓ ଡିଗ୍ରୀ କଲେଜ ଖୋଲିବାକୁ ସରକାର ଘୋଷଣା କରିଛନ୍ତି। ରାଜ୍ୟରେ କେବେ କଲେଜ ଖୋଲିବ, ସେ ବିଷୟରେ ଆଲୋଚନା କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମାନେ ଯୋଗଦେଇଥିଲେ। ସର୍ବସମ୍ମତିକ୍ରମେ ନଭେମ୍ବର ୧୭ରୁ କଲେଜ ଗୁଡ଼ିକୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।
କଲେଜ ଖୋଲିବାକୁ ଥିଲେ ହେଁ ଛାତ୍ରଛାତ୍ରୀମାନେ ଚାହିଁଲେ ବ୍ୟକ୍ତିଗତ କିମ୍ବା ଅନଲାଇନ ଯୋଗେ କ୍ଲାସରେ ଯୋଗ ଦେଇ ପାରିବେ। ଏଥିପାଇଁ ଅଭିଭାବକମାନଙ୍କ ସହମତି ଜରୁରୀ। ସେହିପରି କେତେ ପିଲା କେଉଁ ସମୟରେ କ୍ଲାସ ଆସିବେ, ତା’ର ନିଷ୍ପତ୍ତି ଶିକ୍ଷାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ନିଆଯିବ।କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡା. ଏ ନାରାୟଣ କହିଛନ୍ତି, ଦୀପାବଳି ପରେ ଅର୍ଥାତ ନଭେମ୍ବର ୧୭ରୁ ଆମେ କଲେଜ ଖୋଲିବୁ। ଯେଉଁମାନେ ଚାହିଁବେ, ସେମାନେ କଲେଜ ଆସି କ୍ଲାସ କରିପାରିବେ। ଏହା ଶିକ୍ଷାର୍ଥୀଙ୍କ ଆଗରେ ବିକଳ୍ପ ଭାବେ ରହିବ।
ଶିକ୍ଷାର୍ଥୀମାନେ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କଲେଜ ଖୋଲିବାକୁ ବାରମ୍ବାର ଦାବି କରୁଥିଲେ।
ଆଜିର ବୈଠକରେ କ୍ଲାସ ଆରମ୍ଭ କରିବା ପାଇଁ କଲେଜଗୁଡ଼ିକ କେମିତି ପ୍ରସ୍ତୁତି କରିଛନ୍ତି, ସେକଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲୁ। ଏହାପରେ ମୁଖ୍ୟମନ୍ତ୍ରୀ କଲେଜ ଖୋଲିବାର ତାରିଖ ଧାର୍ୟ୍ୟ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ କଲେଜ ଓ ହଷ୍ଟେଲ ଗୁଡ଼ିକ ପାଇଁ ଏସଓପି ଜାରି କରାଯିବ ବୋଲି ସେ କହିଛନ୍ତି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0