ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ । ଅଧିବେଶନ ଶେଷ ନେଇ ଘୋଷଣା କଲେ ବାଚସ୍ପତି । ଆଜି ଶେଷ ଦିନରେ ୫ଟି ବିଲ୍ ପାରିତ ହୋଇଛି । ଗୃହ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। କିନ୍ତୁ ସରକାର ଆଜି ଦିନକ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଦେଇଛନ୍ତି। ଏଥର ମୌସୁମୀ ଅଧିବେଶନରେ ମୋଟ ୭ଟି ବିଲ୍ ପାରିତ ହୋଇଛି।
ଆଜି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ୫ଟି ବିଲ୍ ପାରିତ ହୋଇଛି । ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ, ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ଓଡିଶା ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ ପାରିତ ହୋଇଛି ।ଅଧିବେଶନ ସମୟରେ ମୋଟ ୩ଟି ମୁଲତବି ନୋଟିସ ଆସିଥିଲା । କରୋନା କାଳରେ ଚର୍ଚ୍ଚାରେ ରହିଥିଲା ବିଧାନସଭା ଅଧିବେଶନ । କରୋନା କଟକଣା ମଧ୍ୟରେ ବିଧାନସଭା ଶେଷ ହୋଇଛି । ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହିନଥିଲା ।
ଚଳିତ ଅଧିବେଶନରେ ମୋଟ ୧୬ଟି ବିଲ୍ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଥିଲେ। କରୋନା ସଂକ୍ରମଣ ଯୋଗୁ ଅଧିକାଂଶ ବିଧାୟକ ଅଧିବେଶନରେ ସାମିଲ ହୋଇପାରିନଥିଲେ। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ୮ଦିନ ଧରି ବିଧାନସଭା ଚାଲିବାର ଥିଲେ ମଧ୍ୟ ବରିଷ୍ଠ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତରେ ଅଧିବେଶନ ଗୋଟିଏ ଦିନ ପ୍ରଭାବିତ ହୋଇଥିଲା। ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ବିଧାୟକ,ମନ୍ତ୍ରୀ ଓ ବିଧାନସଭାର କର୍ମଚାରୀମାନଙ୍କର କରୋନା ପରୀକ୍ଷାକୁ ବାଚସ୍ପତି ବାଧ୍ୟତାମୂଳକ କରିବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଥିଲେ। ବିଧାୟକମାନଙ୍କର ବସିବା ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0