ଭୁବନେଶ୍ବର : କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ୨୦୨୦ରେ ସ୍ବାଧୀନତା ଦିବସକୁ ଅତ୍ୟନ୍ତ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା। ଆସନ୍ତା ସାଧାରଣତନ୍ତ୍ର ଦିବସରେ ମଧ୍ୟ ସମାନ ନିୟମ ଲାଗୁ ହେବାକୁ ଯାଉଛି। କଟକଣା ମଧ୍ୟରେ ଏହି ଦିବସଟିକୁ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଅବଗତ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ଜିଲ୍ଲା ସ୍ତରରେ କିପରି ସାଧାରଣତନ୍ତ୍ର ଦିବସ ପାଳନ ହେବ, ତାହାର ଗାଇଡଲାଇନ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ କୋଭିଡ ପାଇଁ ସାଧାରଣତନ୍ତ୍ର ଦିବସ କାର୍ୟ୍ୟକ୍ରମରେ ବଡ଼ ଧରଣର ସଭା ଆୟୋଜନ ହେବ ନାହିଁ। କାର୍ୟ୍ୟକ୍ରମରେ କୋଭିଡକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ନିଆଯିବ। ସକାଳ ୮ଟା ୩୦ରେ ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିବେ ଓ ପରେ ପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ଏହି ଉତ୍ସବରେ କେବଳ ପୁଲିସ କଣ୍ଟିଜେଣ୍ଟ ହିଁ ଅଂଶଗ୍ରହଣ କରିବେ। ଛାତ୍ରଛାତ୍ରୀ/ଏନସିସି କ୍ୟାଡେଟ ଭାଗ ନେଇପାରିବେ ନାହିଁ। ସାଧାରଣ ଲୋକଙ୍କୁ କାର୍ୟ୍ୟକ୍ରମ ସ୍ଥଳକୁ ଯିବା ପାଇଁ ଅନୁମତି ମିଳିବ ନାହିଁ। କେବଳ ସୀମିତ ସଂଖ୍ୟକ ଅତିଥିଙ୍କୁ ଡକାଯିବ। ସେମାନଙ୍କ ମଧ୍ୟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମୀଙ୍କ ପରି କୋଭିଡ ଯୋଦ୍ଧା ରହିବେ। ଯେତିକି ଅତିଥି ଆସିବେ, ସେମାନଙ୍କ ମଧ୍ୟରେ ଶାରୀରିକ ଦୂରତ୍ବକୁ କଡ଼ାକଡ଼ି ପାଳନ କରାଯିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ। କାର୍ୟ୍ୟକ୍ରମ ସ୍ଥଳ ଓ ପ୍ରବେଶ ଫାଟକକୁ ଭଲ ଭାବେ ସାନିଟାଇଜ କରାଯିବ। ଏହି କାର୍ୟ୍ୟକ୍ରମ ଅବସରରେ ଅନଲାଇନ ପ୍ରବନ୍ଧ କିମ୍ବା କୁଇଜ ପ୍ରତିଯୋଗିତା କରାଯାଇପାରିବ। ବ୍ଲକ ଓ ପଞ୍ଚାୟତ ସ୍ତରରେ ସାଧାରଣତନ୍ତ୍ର ଦିବସ ପାଳନରେ ଏହି ଗାଇଡଲାଇନ ମଧ୍ୟ ଲାଗୁ ହେବ ବୋଲି ଗୃହ ବିଭାଗ ସ୍ପଷ୍ଟ କରିଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0