ପାଟନା: ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଲାଣି । ନିଜର ଡିଜିଟାଲ ପ୍ରଚାର ଆରମ୍ଭ କରିବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ସରକାରଙ୍କ ଉପରେ ପ୍ରଶ୍ନବାଣ କାରିଛନ୍ତି ଆରଜେଡ଼ି ନେତା ତେଜସ୍ୱୀ ଯାଦବ । ନୀତିଶ କୁମାର ବିଗତ ମାର୍ଚ ୧ରେ ଗାନ୍ଧୀ ମୈଦାନ ର୍ୟାଲିରେ ହୋଇଥିବା ଘଟଣା ପୁରା ଦେଶ ଦେଖିଥିଲା । କିନ୍ତୁ ଭର୍ଚ୍ୟୁଆଲ ବାହାନାରେ ଆମେ ପ୍ରକୃତ ପ୍ରସଙ୍ଗରୁ ହଟିବାକୁ ଦେବୁନି । ମୁଖ୍ୟମନ୍ତ୍ରୀ ଆମର ପ୍ରଶ୍ନର ଜବାବ ଦେବେ ବୋଲି ଆଶା । ବିଗତ ୧୫ ବର୍ଷରେ ଆପଣଙ୍କ କାର୍ଯ୍ୟକାଳ ସମୟରେ ବିହାରରେ ବେରାଜଗାରୀ, ଗରିବି, ଅନାହାର ମୃତ୍ୟୁ, ପଳାୟନ ପନ୍ଥା କାହିଁକି ବଢ଼ିଲା? ବିହାରରେ ବେରୋଜଗାରୀ ହାର ୪୬.୬% କାହିଁକି? ବିହାର ବେରାଜଗାରୀର ମୁଖ୍ୟ କେନ୍ଦ୍ର କାହିଁକି? ନୀତି ଆୟୋଗର ସମସ୍ତ ସୂଚକାଙ୍କ ବିହାର ପଛକୁ ହଟିଚାଲିଲା କାହିଁକି? ନୀତି ଆୟୋଗ ସୂଚକାଙ୍କ ଅନୁସାରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିକାଶ ସୂଚକାଙ୍କରେ ବିହାର ଶେଷ ସ୍ଥାନରେ କାହିଁକି ପହଞ୍ଚିଲା? ନୀତିଶ କୁମାରଙ୍କ ୧୫ ବର୍ଷ କାର୍ଯ୍ୟକାଳ ଭିତରେ ୨୦ ହଜାର କୋଟିରୁ ଉର୍ଦ୍ଧ୍ୱ ୫୮ଟି ଘୋଟାଲା କାହିଁକି ହେଲା? ଆପଣଙ୍କ କାର୍ଯ୍ୟକାଳ ସମୟରେ ଦଳିତଙ୍କ ଉପରେ ଅତ୍ୟାଚାର କାହିଁକି ବଢ଼ିଲା? ଏନସିଆରବି ଅନୁସାରେ ସାରା ଦେଶରେ ଦଳିତଙ୍କ ଉପରେ ସବୁଠାରୁ ଅଧିକ ଅତ୍ୟାଚାର ବିହାରରେ ୪୦.୭% , ଯେତେବେଳେ ଏହାର ହାର ଭାରତରେ ୨୧.୮ ପ୍ରତିଶତ । କେନ୍ଦ୍ର ସରକାର ସମସ୍ତ ମାନକ ସଂସ୍ଥା ଯେମିତି ଏନସିଆରବି, ନୀତି ଆୟୋଗ, ଏନଏଚଏମ ଅନୁସାରେ ବିହାରରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କାନୁନ ବ୍ୟବସ୍ଥାର ସ୍ଥିତି ଏତେ ଖରାପ କାହିଁକି? ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ୧.୬୫ ଲକ୍ଷ କୋଟି ପ୍ୟାକେଜ ଯୋଜନା ଓ ବିଭାଗରେ କେତେ ଖର୍ଚ୍ଚ ହେଲା ଓ କେଉଁଠି ହେଲା? ଏହାର ତଥ୍ୟ ସ୍ୱୟଂ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରନ୍ତୁ । ବିହାରରେ ସବୁଠାରୁ ଅଧିକ ଯୁବପିଢ଼ି ଅଛନ୍ତି । ଏହି ଯୁବପିଢ଼ିଙ୍କୁ ରୁଢ଼ିବାଦୀ ଓ ତଥାକଥିତ ନକରାତ୍ମକ ଚିନ୍ତାଧାରା ଦରକାର ନାହିଁ । ସେମାନେ ସୁନେଲି ବର୍ତ୍ତମାନ ଓ ଭବିଷ୍ୟତ ଚାହାନ୍ତି । ୧୫ ବର୍ଷରେ ମୁଖ୍ୟମନ୍ତ୍ରୀ ରୋଜଗାର କାହିଁକି ଦେଇନାହାନ୍ତି? ବିହାରରେ ଉଦ୍ୟୋଗ ଧନ୍ଧା କାହିଁକି ହୋଇନାହିଁ ? ୨୦୧୩ ଓ ୨୦୧୭ରେ ଜନାଦେଶର ଅପମାନ କାହିଁକି କଲେ? ଏହାର ବିସ୍ତୃତ ବିବରଣୀ ବିହାରକୁ ଦିଅନ୍ତୁ । ବିହାର ଜାଣିବାକୁ ଚାହୁଁଛି କି ନୀତିଶ କୁମାରଙ୍କ ନୀତି, ନିୟମ, ନିୟତି, ସିଦ୍ଧାନ୍ତ ଓ ବିଚାର କ’ଣ ? କାରଣ ବିହାରରେ ଏପରି କୌଣସି ଦଳ ନାହିଁ , ଯିଏ ନିଜ ସ୍ୱାର୍ଥ ପାଇଁ ସାଲିସ କରି ବିଶ୍ୱାସଘାତକତା କରିନାହିଁ? ଏହିପରି ଅନେକ ପ୍ରଶ୍ନବାଣରେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଆରଜେଡ଼ି ନେତା ତେଜସ୍ୱୀ ଯାଦବ ଘାଇଲା କରିଛନ୍ତି ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0