ଅନୁଗୁଳ : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଲାଗିଛି ବଡ଼ ଝଟ୍କା। ଏହି ପ୍ରକଳ୍ପରୁ ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ପଠାଇବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିବା ଏନ୍ଟିସିଏ ଏବେ ଅନୁଦାନ ଅର୍ଥ ବି ହ୍ରାସ କରିଦେଇଛି। ଫଳରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ କର୍ମଚାରୀମାନଙ୍କୁ ଏବେ ଆଉ ଦରମା ଦେବା ମଧ୍ୟ ସମ୍ଭବ ହେବ ନାହିଁ। ଏଭଳି ପରିସ୍ଥିତି ପରିପ୍ରେକ୍ଷୀରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ଏବେ ପ୍ରାୟ ୫୦ ପ୍ରତିଶତ ସୁରକ୍ଷା କର୍ମଚାରୀ ଛଟେଇ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ରୀୟ ନିର୍ଦ୍ଦେଶକ ତଥା ଆର୍ସିସିଏଫ୍ ପ୍ରଦୀପ ରାଜ କରାଟ କହିଛନ୍ତି ଯେ, ଗତ ଆର୍ଥିକ ବର୍ଷରେ ଏନ୍ଟିସିଏ ଏହି ପ୍ରକଳ୍ପ ପାଇଁ ୧୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲା। ଗତ ଏପ୍ରିଲ ମାସରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧୬ କୋଟି ଟଙ୍କା ଏନ୍ଟିସିଏକୁ ମଗାଯାଇଥିଲା। ହେଲେ ଏନ୍ଟିସିଏ ପକ୍ଷରୁ ମାତ୍ର ୩.୬୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ଏବେ ଚିଠି ଆସିଛି। ଏହାର ୮୦ ପ୍ରତିଶତ ଟଙ୍କା ଖର୍ଚ୍ଚ ହେବା ପରେ ବିନିଯୋଗ ପ୍ରମାଣପତ୍ର ଦେବାକୁ କୁହାଯାଇଛି। ବର୍ତ୍ତମାନ ବ୍ୟାଘ୍ର ପ୍ରକଳ୍ପ ସୁରକ୍ଷା ଦାୟିତ୍ବରେ ୨୯୬ ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି। ଏନ୍ଟିସିଏ ଦେଇଥିବା ଅର୍ଥରେ ଭିତ୍ତିଭୂମିର ବିକାଶ ସହିତ ଏତେ ସଂଖ୍ୟକ କର୍ମଚାରୀମାନଙ୍କୁ ଦରମା ଦେବାପାଇଁ ଅର୍ଥ ନିଅଣ୍ଟ ପଡ଼ିବ। ସାତକୋଶିଆ ଅଭୟାରଣ୍ୟ ୨୦୦୭ ଡିସେମ୍ବର ୩୧ ତାରିଖରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମାନ୍ୟତା ପାଇଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0