ଭୁବନେଶ୍ୱର : ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ କେତେ ପାଠ ପଢ଼ାଇଛନ୍ତି? ଲକଡାଉନ ଓ ଅନଲକ ସମୟରେ ସେମାନେ ଅନଲାଇନରେ ଛାତ୍ରଛାତ୍ରୀଙ୍କ କ୍ଲାସ ନେଇଛନ୍ତି କି ନାହିଁ? ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟାଳୟରେ ନ ଥିଲେ? କେଉଁମାନେ ଅନଲାଇନରେ ଆଦୌ କ୍ଲାସ ନେଇ ନାହାନ୍ତି? ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମ ମାଧ୍ୟମରେ ପାଠ ପଢ଼ାଉଛନ୍ତି କି ନାହିଁ? ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ଅତିକମରେ ୨୦ ଜଣ ପିଲାଙ୍କୁ ଫୋନ କରି ଦୂରଦର୍ଶନ କିମ୍ବା ‘ମଧୁ’ ଆପର ପାଠପଢ଼ା ସମ୍ପର୍କରେ ପଚାରି ବୁଝିଛନ୍ତି କି ନାହିଁ ତାହାର ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଠପଢ଼ାର ହିସାବ ମଗାଯାଇଛି। ଆସନ୍ତା ୩ ଦିନ ମଧ୍ୟରେ ଏ ସମ୍ପର୍କିତ ରିପୋର୍ଟ ନିର୍ଦେଶାଳୟ ନିକଟରେ ଦାଖଲ କରିବାକୁ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ତଥ୍ୟ ସଂଗ୍ରହ କରିବା ପରେ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଫୋନ୍ କରି ତଥ୍ୟର ସତ୍ୟାସତ୍ୟ ଯାଞ୍ଚ କରିବେ। ସମସ୍ତ ବିଦ୍ୟାଳୟରୁ ତଥ୍ୟ ମିଳିବା ପରେ ତାହାକୁ ଏକାଠି କରି ଅକ୍ଟୋବର ୧୧ ସୁଦ୍ଧା section5dse@gmail.com ଓ dseodisha@yahoo.comରେ ପଠାଇବାକୁ କୁହାଯାଇଛି। ଫଳରେ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା କରାଯିବ। ଯଦି କୌଣସି ବିଦ୍ୟାଳୟ ୧୧ ତାରିଖ ସୁଦ୍ଧା ତଥ୍ୟ ଦେଉନାହାନ୍ତି ତେବେ ସେମାନଙ୍କୁ ଛାଡ଼ି ବାକି ବିଦ୍ୟାଳୟର ତଥ୍ୟକୁ ଦାଖଲ କରିବାକୁ କୁହାଯାଇଛି। ନିର୍ଦେଶାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ଅଗଷ୍ଟ ୨୭ରେ ଜାରି ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା ଯାଞ୍ଚ କରିବାକୁ କୁହାଯାଇଥିଲା। ମୁଖ୍ୟାଳୟରେ ରହି ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠପଢ଼ାଇବା ସହ ତାହାର ମନିଟରିଂ କରିବାକୁ ନିର୍ଦେଶ ଥିଲା। ତେବେ ନଜରକୁ ଆସିଛି ଯେ କେତେଜଣ ଶିକ୍ଷକ ମୁଖ୍ୟାଳୟରେ ନ ଥିଲେ। ଅନଲାଇନ ପାଠପଢ଼ାରେ ବି ସହଯୋଗ କରି ନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ଓ ଅନଲକ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାସକୁ ପୂର୍ଣ୍ଣାଙ୍ଗ ଦରମା ପ୍ରଦାନ କରାଯାଇଛି। ତା’ପରେ ବି ସ୍କୁଲ ବନ୍ଦ ରହିଛି। ପିଲା ସ୍କୁଲ ଆସୁନାହାନ୍ତି କରି ଶିକ୍ଷକମାନେ ମୁଖ୍ୟାଳୟ ନ ରହିବା ବାହାନାକୁ ଗ୍ରହଣ କରାଯାଇପାରୁ ନାହିଁ। ଅନଲାଇନ ଶିକ୍ଷା ପାଇଁ ଆଉ କିଭଳି ଭିତ୍ତିଭୂମି ବିକାଶ କରାଯାଇପାରିବ ସେନେଇ ମତାମତ ଦେବାକୁ ଡିଇଓମାନଙ୍କୁ କୁହାଯାଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0