spot_img

ସୁମିତ୍ ଜେଜେମାଙ୍କ ନିବେଦନ

ଗତକାଲି, ବ୍ରହ୍ମପୁରର ଶହ ଶହ ମହିଳା ବାହାରି ସୁମିତଙ୍କ ଘରର ଗେଟ୍‌ ଭାଙ୍ଗି ଦେଇଥିବା ବେଳେ ଆଜି ସୁମିତ ତଥା ତାଙ୍କ ଜେଜେମା’ ଭିଡିଓ ଜାରି କରିଛନ୍ତି  ।  ଏପରିକି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସୁମିତଙ୍କ ଘର ନିକଟରେ ପୁଲିସ୍‌ ଜାରି କରିଛି ୧୪୪ ଧାରା।ଅପରପକ୍ଷେ, ଗତକାଲି ଶହ ଶହ ମହିଳା ଅନାଧିକାର ପ୍ରବେଶ କରି ଗେଟ୍‌ ଭାଙ୍ଗିବା ନେଇ ଥାନାରେ ଏତଲା ଦେଇଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ। । ତପସ୍ୱିନୀ, ତାଙ୍କ ବାପା, ପ୍ରମିଳା ତ୍ରିପାଠୀ ଓ ସହଯୋଗୀଙ୍କ ନାଁରେ ଏତଲା ଦିଆଯାଇଛି। ଏହି ସମସ୍ତଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ଅନଲାଇନ୍‌ରେ ଏତଲା କରିଛନ୍ତି ସୁମିତଙ୍କ ବାପା।

ସୁମିତଙ୍କ ଜେଜେ ମା’ ଜାରି କରିଥିବା ଭିଡିଓରେ କହିଛନ୍ତି ,  ମୁଁ ପ୍ରମୋଦ କୁମାର ସାହୁର ମା’ । ବ୍ରହ୍ମାନଗର ସେକେଣ୍ଡ ଲାଇନ୍‌ରୁ କହୁଛି। କାଲି ତପସ୍ୱିନୀ ଦାସ, ପ୍ରମିଳା ତ୍ରିପାଠୀ ଓ  ବହୁ ଲୋକ ଆସି ହୋ ହଲ୍ଲା କରି ଆମ ଗେଟ୍‌ ଭାଙ୍ଗି ମୋତେ ତାଲା ପକାଇ ଭିତରେ ରଖିଛନ୍ତି। ମୋତେ ଏଠାରୁ ଉଦ୍ଧାର କର ।ଅପରପକ୍ଷେ, ଅସୁସ୍ଥ ଥିବା କହି ଅନ୍ୟତ୍ର ରହୁଥିବା ଡାକ୍ତର ସୁମିତ ମଧ୍ୟ ଗତକାଲିର ଘଟଣା ପରେ ଏକ ଭିଡିଓ ଜରିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି।  ଏହି ଘଟଣା ଏବେ ନ୍ୟାୟାଳୟ ବିଚାରଧୀନ ଥିବା ବେଳେ ତପସ୍ୱିନୀ କ’ଣ ପାଇଁ ଏପରି କରୁଛନ୍ତି ବୋଲି ସେ ପଚାରିଛନ୍ତି। ଏଥିସହ ପ୍ରମିଳା ତ୍ରିପାଠୀ କେଉଁ ଅଧିକାରରେ ବସି ରହିଛନ୍ତି, ସେ ଆମ ଘର ସମ୍ପର୍କରେ କ’ଣ ଜାଣିଛନ୍ତି ବୋଲି କହିଛନ୍ତି। ଏହାବାଦ ୨ ଜଣଙ୍କ ମାମଲାରେ ତୃତୀୟ ପକ୍ଷଙ୍କ କାମ କ’ଣ ।

ତପସ୍ୱିନୀ କୋର୍ଟରେ ନିଜ ଯୁକ୍ତି ରଖନ୍ତୁ, ଏଠାରେ  କାହିଁକି ବସି ରହିଛନ୍ତି ବୋଲି କହିଛନ୍ତି ସୁମିତ ।ଏଥିସହ ସେ କହିଛନ୍ତି, ଗତକାଲିର ଘଟଣା ପୁଲିସ୍‌ ସାମନାରେ ହୋଇଛି। କିନ୍ତୁ ପୁଲିସ୍‌ କିଛି ପଦକ୍ଷେପ ନେଲାନି, ବରଂ ଭିତରେ ପଶି ଧମକ ଦେଇଛି । ଗତକାଲି ମୋ ଆଡଭୋକେଟ ଯାଇଥିଲେ,ତାଙ୍କୁ ବି ଭିତରକୁ ଛାଡ଼ିନେଲି। ମୋ ବାପା, ମା’, ଜେଜେମା’ ଘରେ ଅଛନ୍ତି। ସମସ୍ତଙ୍କ ଦେହ ଅସୁସ୍ଥ। ଏପରି କୋର୍ଟ ବିପକ୍ଷରେ ଯାଇ, ଜୋରଜବରଦସ୍ତି ଘରେ ପଶି କ’ଣ ଲାଭ ପାଉଛନ୍ତି। ଯଦି ତାଙ୍କର କିଛି ଅଧିକାର ଅଛି, ସେ କୋର୍ଟରେ ଲଢ଼ନ୍ତୁ। ଏହାର ଅର୍ଥ କ’ଣ ଆଇନ ବୋଲି କିଛି ନାହିଁ। ମୋ ମା’ ହୃଦରୋଗୀ। ମୋ ପରିବାର କିପରି ଅବସ୍ଥାରେ ଅଛନ୍ତି, ଭାବିବାକୁ ଡର ଲାଗୁଛି।

ସୂଚନାଯୋଗ୍ୟ, ଗତକାଲି ତପସ୍ୱିନୀଙ୍କ ସପକ୍ଷରେ  ବ୍ରହ୍ମପୁରର ଶହ ଶହ ମହିଳା ବାହାରି ସୁମିତଙ୍କ ଘରର ମୁଖ୍ୟ ଗେଟ୍‌ ଭାଙ୍ଗି ଦେଇଥିବା ବେଳେ ପୁଲିସ୍‌ ପକ୍ଷରୁ ଆଜି ଜାରି ହୋଇଛି ୧୪୪ ଧାରା।  ନ୍ୟାୟ ଦାବିରେ ତପସ୍ୱିନୀ ସୁମିତଙ୍କ ଘର ସମ୍ମୁଖରେ ଧାରଣାରେ ବସିବା ପରଠୁ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ନିକଟରେ ଅସମ୍ଭବ ଗହଳି ଲାଗି ରହୁଛି। ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହୁଛି। ତେଣୁ ଏପରି ସ୍ଥିତିକୁ ଏଡ଼ାଇବା ପାଇଁ  ସୁମିତଙ୍କ ଘର ନିକଟ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।  ଫଳରେ ତପସ୍ୱିନୀଙ୍କ ଶ୍ୱଶୁର ଘର ଆଗରେ ୨ ସେକ୍ସନ ପୁଲିସ୍‌ ମୁତୟନ ହୋଇଛନ୍ତି। ୧୪୪ ଧାରା ଲାଗୁ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ବ୍ୟାରିକେଟ କରାଯାଇଛି।  ଫଳରେ ସାଧାରଣ ଲୋକଙ୍କ ଯାତାୟତ ଅସୁବିଧା ହେଉଛି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular