ଭୁବନେଶ୍ୱର(ଚନ୍ଦନ ପଣ୍ଡା): ୨୦ ବର୍ଷର ସ୍ଥିର ସରକାର ,ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇ ୫ମ ଥର ଶାସନ ଡୋର ଧରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୬ଷ୍ଠ ଥର ନିଜ ପାଖରେ ପୁଣି ଚଉକି ରଖିବାକୁ ପାଗ ଭିଡ଼ିଲେଣି ମାନ୍ୟବରଙ୍କ ସୈନ୍ୟ ସାମନ୍ତ ଓ ଚେଲା ଚାମୁଣ୍ଡା ମାନେ | କଳେବଳେ କୌଶଳେ ସମସ୍ତେ ଲାଗିପଡ଼ିଲେଣି ପରାଜୟ ହୋଇଥିବା ସ୍ଥାନ ଗୁଡିକରେ ପୁଣି କେମିତି ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ସଫଳ ପ୍ରଦର୍ଶନ କରିବ ବିଜୁ ଜନତା ଦଳ | ମୟୂରଭଞ୍ଜ ରୁ ମାଲକାନଗିରି ,କେନ୍ଦୁଝର ରୁ କୋରାପୁଟ ସବୁଠି ଦଳ ଡିଆଁ ବା ଦଳ ବଦଳ ପର୍ବ ଆରମ୍ଭ ହୋଇଗଲାଣି | ଆପଣମାନେ ଏ ଚିତ୍ର ବୈଦୁତିକ ଓ ମୁଦ୍ରିତ ଗଣମାଧ୍ୟମ ଜରିଆରେ ଦୈନିକ ଦେଖୁଥିବେ | ତେବେ ଏବେ ଯେଉଁ ପ୍ରସଙ୍ଗ ରେ ଆମେ କହିବାକୁ ଚାହୁଁଛୁ ତାହା ଗଜପତି ଜିଲ୍ଲାର | ଘଟଣାଟି ଏମିତି ପାରଳାଖେମୁଣ୍ଡିସ୍ଥିତ କ୍ରୀଡାଙ୍ଗନରେ ଗତକାଲି ବିଜୁ ଜନତା ଦଳ ତରଫରୁ ଏକ ଯୁବ ଓ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲାଥିଲା | ମଙ୍ଗଳବାର ବିଦ୍ୟାଳୟ ଖୋଲା ରହିଥିବାବେଳେ ,କିଛି ବିଦ୍ୟାଳୟର ଦଶମ ଶ୍ରେଣୀ ଅର୍ଥାତ ଆଉ କିଛିଦିନ ପରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ପିଲାମାନେ ପାଠ ପଢ଼ିବା ପରିବର୍ତ୍ତେ ବିଜେଡି ଯୁବ ଓ ଛାତ୍ର ସମ୍ମିଳନୀରେ ସାମିଲ ହୋଇଥିଲେ । ସେମାନଙ୍କୁ କୁଆଡ଼େ ତାଙ୍କ ସାର୍ ପଠାଇଥିଲେ ବୋଲି ପିଲାମାନେ ଗଣମାଧ୍ୟମ ସାମ୍ନାରେ ଖୁଲମଖୁଲା କହିଛନ୍ତି |ମାଳ ମାଳ ବିଜେଡି ଯୁବ ଛାତ୍ର କର୍ମୀଙ୍କ ସହିତ ଏହି ରାଜନୈତିକ ସମାବେଶରେ ଦଶମ ଶ୍ରେଣୀ ପିଲାମାନେ ବସିଥିବାର ଦେଖା ଯାଇଥିଲା । ପିଲାମାନେ ବିଦ୍ୟାଳୟର ପୋଷାକ ପରିଧାନ କରି ବେକରେ ପରିଚୟପତ୍ର ପକାଇ ସଭାରେ ବସିଥିବାର ଦେଖିବାକୁ ମିଳିଥିଲା | ତେବେ ଏଠାରେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ୧୦୦ ଦିନରେ ନିର୍ଦ୍ଧାରିତ ପାଠ୍ୟ ଖସଡ଼ା ସାରିବା ପାଇଁ ରବିବାର ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବାକୁ ଶିକ୍ଷକମାନଙ୍କୁ କହୁଛନ୍ତି । ସେପଟରେ ଗତକାଲି ମଙ୍ଗଳବାର କାର୍ଯ୍ୟ ଦିବସରେ ଦଶମ ଶ୍ରେଣୀ ପିଲାମାନେ ଶାସକ ଦଳର ରାଜନୈତିକ ସମାବେଶରେ ସାମିଲ ହୋଇଛନ୍ତି । ଯେଉଁ ଶିକ୍ଷକ ପିଲାମାନଙ୍କୁ ବିଦ୍ୟାଳୟରେ ପଢ଼ାଇବା କଥା, ସେମାନେ ଆଜି ବିଜେଡି ସମାବେଶକୁ ପଠାଉଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସମ୍ପୃକ୍ତ ଶିକ୍ଷକ ମାନଙ୍କ ପ୍ରତି ସର୍ବସାଧାରଣରେ ନକାରାତ୍ମକ ଭାବନା ସୃଷ୍ଟି ହୋଇଛି | ଏ ସଂକ୍ରାନ୍ତରେ ସ୍ଥାନୀୟ “ବିକାଶ ବିଦ୍ୟାନିକେତର” ଦଶମ ଶ୍ରେଣୀ ଛାତ୍ରମାନେ କହିଛନ୍ତି ଯେ – “ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଲିଛି ବୋଲି ଆମ ସାର କହିଲେ । ସେଥିପାଇଁ ସାର ଆମକୁ ଏଠାକୁ ପଠାଇଛନ୍ତି। ସାର୍ କହିଥିବାରୁ ଆମେ ଏଠାକୁ ଆସିଛୁ ଓ ବହୁତ ଲୋକଙ୍କୁ ଦେଖୁଛୁ | ଏବଂ “ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ” ଦଶମ ଶ୍ରେଣୀ ଛାତ୍ର କହିଛନ୍ତି-“ ଆମ ସାର୍ ଗତକାଲି ଆମକୁ କହିଥିଲେ ସେଥିପାଇଁ ଆମେ ସଭାକୁ ଆସିଛୁ ।ଆଉ କିଛି ସମୟ ପରେ ସଭା ସରିଲେ ବିଦ୍ୟାଳୟ ଛାତ୍ରାବାସକୁ ଫେରିଯିବୁ । ସଭାରେ କଣ ଚାଲିଛି ପ୍ରଶ୍ନରେ କହିଛନ୍ତି ସଭାରେ ନବୀନ ବାବୁଙ୍କ ବିଷୟରେ ଚର୍ଚ୍ଚା ଚାଲିଛି , ଆମେ ଶୁଣୁଛୁ | ସୂଚନା ଅନୁସାରେ ଗତକାଲିର ପାରଳାଖେମୁଣ୍ଡି କାର୍ଯ୍ୟକ୍ରମରେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀ ,ସଞ୍ଜୀବ ମଲ୍ଲିକ ପ୍ରମୁଖ ଯୋଗଦେଇ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବ ବିରୋଧରେ ବର୍ଷିଥିଲେ ।
ଏହି ସମାବେଶରେ ଜିଲ୍ଲାର କୋଣ ଅନୁକୋଣରୁ ଛାତ୍ର ନେତା ଓ ଦଳିୟ କର୍ମୀ ସାମିଲ ହୋଇଥିଲେ । ଏବଂ ବିଜେଡି କର୍ମୀଙ୍କ ସହିତ ଏହି ଦଳୀୟ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର କିଛି ଦଶମ ଶ୍ରେଣୀ ପିଲାମାନେ ସାମିଲ୍ ହୋଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଲାଗିରହିଛି | ବିଶ୍ୱ ମହାମରୀ କରୋନାର ପ୍ରକୋପ ପାଇଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । କରୋନାର ପ୍ରଭାବ କିଛି କମ୍ ହେବାପରେ ପରେ ରାଜ୍ୟ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଛନ୍ତି । ଏବର୍ଷର ପାଠ୍ୟ ଖସଡ଼ା କମାଇ ୧୦୦ ଦିନରେ ପାଠ ପଢ଼ା ସାରିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ରବିବାର ମଧ୍ୟ ଛୁଟି ବାତିଲ କରି ପାଠ ପଢା ଯାଉଛି । ଏପରି ସ୍ଥଳେ ଗତକାଲି ମଙ୍ଗଳବାର କାର୍ଯ୍ୟଦିବସ ଥିବା ବେଳେ ପିଲାମାନେ ବିଦ୍ୟାଳୟରେ ପାଠ ପଢା ବନ୍ଦ କରି ବିଜେଡି ଛାତ୍ର ସମାବେଶରେ ଯୋଗଦେବା ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ନୁହେଁ ତ ଆଉ କଣ ? କୋମଳମତି ଛାତ୍ରମାନଙ୍କର ଭାଗ୍ୟ ଓ ଭବିଷ୍ୟତ କୁ ନେଇ ଖେଳ ଖେଳିବା କେତେ ଦୂର ଯଥାର୍ଥ ? ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହା ଶାସକ ଦଳର କାର୍ଯ୍ୟକ୍ରମ ବୋଲି ନୀତିନିୟମ ଓ ସମ୍ବିଧାନକୁ ବେଖାତିର କରି ଦଳି ମକଚି ଦିଆଯାଉନିତ ? କ୍ଷମତାସୀନ ଦଳର ରାଜନୈତିକ ସଭାରେ ଯୋଗଦେଲେ ମାଫ ଯଦି ଏହା ବିରୋଧି ଦଳର କୌଣସି କାର୍ଯ୍ୟକ୍ରମ ବା ସଭା ହୋଇଥାନ୍ତା ଏହାକୁ ସରକାର ବରଦାସ୍ତ କରିଥାନ୍ତେ କି ? ଏହାର ଉତ୍ତର ନାଁ ହିଁ ହେବ ,ସଙ୍ଗେସଙ୍ଗେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ଚିଠି ସହ ସରକାରୀ ଚାକିରୀ ନିୟମ ଉଲଙ୍ଘନର ଆଳ ଦେଖାଇ ନିଲମ୍ବନ କରିବାଟା ନିଶ୍ଚିତ ଏହାକୁ ଯେକେହି ନିର୍ଦ୍ୱନ୍ଦରେ ସ୍ୱୀକାର କରିବେ |ଏହାକୁ ନେଇ ବିରୋଧି ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି |ଏଭଳି କହିଛନ୍ତି ବିଜେଡି ସମାବେଶରେ ଦଶମ ଶ୍ରେଣୀ ପିଲାମାନଙ୍କୁ ବସାଇବା ଓ ଶାସନକଳର ଅପବ୍ୟବହାର କରି ଶିକ୍ଷକ ମାନଙ୍କୁ ମୋହରା କରିବାରୁ ଜଣାପଡ଼ୁଛି, ତାଙ୍କ ପାଖରୁ କର୍ମୀମାନେ କର ଛଡା ଦେଲେଣି । ବିଜେଡିର କାୟା ହ୍ରାସ ପାଉଥିବାରୁ ଏଭଳି ହୀନ କାର୍ଯ୍ୟ କରୁଛି । ତେବେ ଆମେ ଶେଷରେ ଏତିକି କହିବୁ “ଖେଳ ବେଳରେ ଖେଳିବା ଖେଳ ,ପାଠ ବେଳରେ ପାଠ ,ମେଳା ବେଳରେ ଯାତରା ଦେଖା ,ନାଟ ବେଳରେ ନାଟ ” ଅର୍ଥାତ ସମୟ ଅନୁସାରେ କାର୍ଯ୍ୟ କରାଯାଉ | ସମୟ ଓ ତରଙ୍ଗ କାହାକୁ ଅପେକ୍ଷା କରେ ନାହିଁ | ଯେଉଁ ସମୟରେ ଯାହା ଉଦ୍ଧିଷ୍ଟ ତାହା କରିବାର ଆବଶ୍ୟକତା ରହିଛି | ପିଲାମାନଙ୍କ ପାଠପଢା ର ସମୟ କୁ ନଷ୍ଟ କରି ରାଜନୀତିର ସଭାରେ ଆଣି ବସାଇଥିବା ବଡବାବୁ ମାନେ ଥରୁଟେ ସେମାନଙ୍କ ଭବିଷ୍ୟତ କଥା ଚିନ୍ତା କରନ୍ତୁ | ଏଭଳି ବିବର୍ଣ ଚିତ୍ର ତିଆରି ନକରନ୍ତୁ ଯାହା ଉତ୍ତର ପିଢ଼ି ନିନ୍ଦା କରିବେ | ତେବେ ବିଜୁ ଜନତା ଦଳର ରାଜନୈତିକ ଦୃଶ୍ୟପଟ୍ଟରେ ଏହା ବିସ୍ମୟ ଓ ବିବର୍ଣ ଚିତ୍ର କି ନୁହେଁ ତାହା ଆମର ଶୁଦ୍ଧି ପଠନ ପ୍ରିୟ ପାଠକ /ପାଠିକା ମାନେ ନିର୍ଦ୍ଧାରଣ କରିବେ …..



Visitors Today : 0
Total Visitors : 130166
Total Views : 9891611
Visitors Online Now : 0