ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧,୪୦୩ ଶିକ୍ଷକ ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ନିକଟରେ ଗୋଟିଏ ଦିନରେ ୬୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ଚଳିତ ବର୍ଷ ପ୍ରଥମ ପର୍ୟ୍ୟାୟରେ ୪୬୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବି ପୂରଣ ନିମନ୍ତେ ଅଗଷ୍ଟ ୧୩ରେ ଏବଂ ଦ୍ବିତୀୟ ପର୍ୟ୍ୟାୟରେ ୬୭୨୦ ଜଣ ଟିଜିଟି କଳା ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପାଇଁ ଅଗଷ୍ଟ ୨୮ ତାରିଖରେ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ଶିକ୍ଷକତା ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ମିଳୁ ନ ଥିବାରୁ ଯେପରି ଅଧିକ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ ତାକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି। ଏହାସହିତ ବର୍ଦ୍ଧିତ ଛାତ୍ରଛାତ୍ରୀ ସଂଖ୍ୟା ଦୃଷ୍ଟିରୁ ଅଧିକ ୩୪୬୨ଟି ଶିକ୍ଷକ ପଦବି ମଧ୍ୟ ମଂଜୁର କରାଯାଇଛି। ଏବେ ଖାଲି ପଦବି ତଥା ନୂତନ ମଂଜୁରୀପ୍ରାପ୍ତ ପଦବିକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏପ୍ରିଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରି ବିଦ୍ୟାଳୟ ମାନଙ୍କରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି ।
୪ ମାସ ମଧ୍ୟରେ ଦୁଇଟି ପର୍ୟ୍ୟାୟରେ ଏତେ ସଂଖ୍ୟକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସୂଚାରୁରୂପେ ଶେଷ କରିବା ତଥା ଆଉ ଏକ ପର୍ୟ୍ୟାୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଶିକ୍ଷା କ୍ଷେତ୍ରରେ ରୂପାନ୍ତର ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0