ଭୁବନେଶ୍ୱର(ଚନ୍ଦନ ପଣ୍ଡା) : ମନ୍ଦିର ମାଳିନୀ ଭୁବନେଶ୍ୱର ଓ ଓଡ଼ିଶାର ପୁରାତନ ଐତିହ ରୋପ୍ୟ ନଗରୀ କଟକ ଭିତରେ ମେଟ୍ରୋ ରେଳ ଚଳାଇବା ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି | ଏଭଳି କିଛି ବାର୍ତ୍ତା ଶୁଣିବାକୁ ମିଳିଥିଲା ଯେ ଭୁବନେଶ୍ୱର ଓ ପୁରୀ ଭିତରେ ମେଟ୍ରୋ ରେଳ ଚଳାଚଳ କରିବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ୫ମ ଥର ପାଇଁ ଶାସନ ଭାର ସମ୍ଭାଳିବା ପରେ ୧୬ତମ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କ ଅଭିଭାଷଣରେ ଏହା କହିଥିଲେ । ଦୁଇ ଦଶନ୍ଧିର ଅପରାଜୟ ନାୟକ ନବୀନ ବାବୁ ମଧ୍ୟ ନିର୍ବାଚନ ପୂର୍ବରୁ ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ |କିନ୍ତୁ ଏବେ ସବୁ ଆଶା ପାଣି ଫୋଟକା ପରି ମିଳେଇ ଯାଇଛି | କାରଣ ଗତକାଲି ରାଜ୍ୟସଭାରେ ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ମେଟ୍ରୋ ରେଳ ସେବା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିକଟକୁ କୌଣସି ପ୍ରସ୍ତାବ ଆସିନାହିଁ ।ସହରାଞ୍ଚଳ ପରିବହନ ହେଉଛି ସହର ବିକାଶର ଏକ ଅଭିନ୍ନ ଅଙ୍ଗ ଓ ଏହା ରାଜ୍ୟର ବିଷୟବସ୍ତୁ । ତେଣୁ ମେଟ୍ରୋ ରେଳ ପ୍ରକଳ୍ପ ସମେତ ସହରାଞ୍ଚଳ ପରିବହନ ଭିତ୍ତିଭୂମି ଆରମ୍ଭ, ବିକାଶ ଓ ପାଣ୍ଠି ଯୋଗାଡ଼ ନିମନ୍ତେ ସମ୍ବଦ୍ଧିତ ରାଜ୍ୟ ସରକାର ହିଁ ଉତ୍ତରଦାୟୀ ।ସେଥିପାଇଁ କୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ମେଟ୍ରୋ ରେଳସେବା ପାଇଁ ଅନୁରୋଧ କଲେ କେନ୍ଦ୍ର ସରକାର ପ୍ରଚଳିତ ନୀତି,ପ୍ରସ୍ତାବର ଗ୍ରହଣୀୟତା ଓ ସମ୍ବଳର ଉପଲବ୍ଧତା ଆଧାରରେ ସହର ମଧ୍ୟରେ ମେଟ୍ରୋ ରେଳ ଚଳାଚଳ ପ୍ରସ୍ତାବ ପାଇଁ ଆର୍ଥିକ ସହାୟତା ଉପରେ ବିଚାର କରିଥାନ୍ତି ।ରାଜଧାନୀବାସୀ ଆଶା ରଖିଥିଲେ ରାଜ୍ୟ ସରକାର ମେଟ୍ରୋ ରେଳ ଚଲାଇବାକୁ ଯୋଜନା କରୁଛନ୍ତିି ମାନେ ଖୁବ୍ ଶୀଘ୍ର ଦୈତନଗରୀରେ ମେଟ୍ରୋ ରେଳ ଗଡ଼ିବ । କିନ୍ତୁ ପରିତାପର ଓ ଦୁଃଖର ବିଷୟ ସବୁ କଥାରେ ବିଶ୍ୱସ୍ତରୀୟ ଓ କେନ୍ଦ୍ର ଅବହେଳା ନାମ କୁ ଯୋଡ଼ୁଥିବା ନବୀନ ବାବୁ କିମ୍ବା ବିଜୁ ଜନତା ଦଳ ଏ ପ୍ରସଙ୍ଗରେ ଏଯାଏଁ କେନ୍ଦ୍ର ସରକାର କିମ୍ବା ବିଭାଗୀୟ ମନ୍ତ୍ରୀଙ୍କୁ କୌଣସି ପ୍ରସ୍ତାବ ଦେଇ ନାହାନ୍ତି | ଏ କଥା ଆମେ କହୁନୁ ଗତକାଲି ସଂସଦରେ ସାଂସଦ ଅଶ୍ୱନୀ ବୈଷ୍ଣବ ଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି |
ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ରାଜ୍ୟ ସରକାରଙ୍କର ଆନ୍ତରିକତା ର ଅଭାବ ରହୁଛି | ସୂଚନାଯୋଗ୍ୟ ,କଟକ-ଭୁବନେଶ୍ୱରର ୩୦ କିମି ମଧ୍ୟରେ ମେଟ୍ରୋ ରେଳ ସେବା ଚଳାଚଳ ନିମନ୍ତେ ବିସ୍ତୃତ ପ୍ରକଳ୍ପ ତଥ୍ୟ ରାଜ୍ୟ ସରକାର ୨୦୧୪ ଅଗଷ୍ଟ ୨୩ତାରିଖରେ ହାଇଦ୍ରାବାଦସ୍ଥିତ ବାଲାଜରୀ ରେଲରୋଡ୍ ସିଷ୍ଟମ ଲିମିଟେଡ଼ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ । ୧୦ମାସ ମଧ୍ୟରେ ଉକ୍ତ ସଂସ୍ଥା ସମ୍ପୂର୍ଣ୍ଣ ପ୍ରକଳ୍ପ ତଥ୍ୟ ପ୍ରସ୍ତୁତ କରିଥାନ୍ତା । ଏଥିପାଇଁ ୨.୫୨କୋଟି ଟଙ୍କା ଦିଆଯିବାର ଥିଲା। ମାତ୍ର ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହି ଏମଓୟୁକୁ ଭୁଲିଗଲେ। ଆଉ ୨୦୧୯ ଜୁନ୍ ମାସରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବିଧାନସଭାରେ ନିଜର ଅଭିଭାଷଣ ରଖିବାବେଳେ ଏହି ମେଟ୍ରୋ ରେଳ ସଂଯୋଗ ପାଇଁ ସରକାର ପଦକ୍ଷେପ ନେଉଥିବା କଥା ଉପସ୍ଥାପନ କରିଥିଲେ ।ଏଠାରେ ପ୍ରଶ୍ନ ଉଠୁଛି ଯଦି ରାଜ୍ୟ ସରକାରଙ୍କ ନିକଟରେ ମେଟ୍ରୋ ରେଳ ଚଳାଚଳ ପାଇଁ କୌଣସି ଦୀର୍ଘ ମିଆଦୀ ରୂପରେଖ ନଥିଲା ତେବେ ଇସ୍ତାହାର ଓ ରାଜ୍ୟପାଳଙ୍କ ଜରିଆରେ ଏହା ଘୋଷଣା କରୁଥିଲେ କାହିଁକି ? ଏହାକୁ ଫମ୍ପା ଆବାଜ କହିବାନିତ ଆଉ କଣ ? ଆଶ୍ଚର୍ଯ୍ୟର ବିଷୟ ଏ ପର୍ଯ୍ୟନ୍ତ ନଗର ଉନ୍ନୟନ ବିଭାଗ କି ପରିବହନ ବିଭାଗ କିଏ ଏ ନେଇ ସର୍ଭେ କରିବ ତାହା ସ୍ଥିର ହୋଇପାରିନି |କେଉଁ ରାସ୍ତା ଦେଇ ଯିବ , କେତେ ଟଙ୍କା ଖର୍ଚ୍ଚ ହେବ, କେତେ ଜମି ଅଧିଗ୍ରହଣ ହେବ, କେଉଁଠି ଷ୍ଟେସନ ରହିବ, ମେଟ୍ରୋ ରେଳ କେତେ କିଲୋମିଟର ଅଞ୍ଚଳରେ ହେବ, କେତେ କିଲୋମିଟର ରାସ୍ତାରେ ସ୍ବତନ୍ତ୍ର ରେଳ ଧାରଣା ବିଛାଯିବ, ସେ ନେଇ ଏପର୍ଯ୍ୟନ୍ତ କିଛି ଆଲୋଚନା ବି ହୋଇନାହିଁ ।ଯାହା ଫଳରେ ଏ ପ୍ରକଳ୍ପ କେବଳ ଧୂଆଁ ବାଣ ଓ ନିର୍ବାଚନ ବୈତରଣୀ ପାରିହେବା ପାଇଁ ଘୋଷଣା ହୋଇଥିଲା ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି | ଛକ ଛକରେ ଓ ଚା ଖଟିରେ ସବୁଠି ଏହି ଗୋଟିଏ କଥା ଆଲୋଚନା ହେଉଛି , ଏହା ପ୍ରଚାରସର୍ବସ୍ବ ସରକାରଙ୍କର ଦୂରଦୃଷ୍ଟି ଅଭାବ ନୁହେଁ ତ ଆଉ କଣ ? ଶେଷରେ ଏତିକି କହିବୁ ବିଶ୍ୱସ୍ତରୀୟ ପ୍ରକଳ୍ପ ଭଳି ଏହାକୁ କେବେଳ ଘୋଷଣା ଭିତରେ ସୀମିତ ନରଖି ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରି ରାଜଧାନୀ ବାସୀଙ୍କୁ ପ୍ରଥମେ ରାଜ୍ୟସ୍ତରୀୟ ପ୍ରକଳ୍ପଟିଏ କରି ଭେଟି ଦିଅନ୍ତୁ |ମେଟ୍ରୋ ଟ୍ରେନ କେବଳ ଦିବା ସ୍ବପ୍ନ ଭିତରେ ରହି ନଯାଉ | ବାସ୍ତବ କ୍ଷେତ୍ରରେ ସ୍ବପ୍ନର ସଫଳ ରୂପାୟନ ହେଉ | ଏ ସମ୍ପୂର୍ଣ୍ଣ ପ୍ରସଙ୍ଗର ଗତି କେଉଁଆଡେ ?ବାସ୍ତବରେ ରାଜ୍ୟ ସରକାର ଏଥିପ୍ରତି ଯତ୍ନବାନ ଅଛନ୍ତି କି ନାହିଁ ସେ ବିଚାର ଆମର ଶୁଦ୍ଧି ପାଠକ ମାନଙ୍କ ଉପରେ ନ୍ୟସ୍ତ କଲୁ ….



Visitors Today : 0
Total Visitors : 130166
Total Views : 9891611
Visitors Online Now : 0