spot_img

ଶିଳାନ୍ୟାସରେ ଆଣ୍ଠେଇଛି ପ୍ରକଳ୍ପ,ଆଶା ଆଶଙ୍କାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ….

ଭୁବନେଶ୍ୱର(ଚନ୍ଦନ ପଣ୍ଡା) : ଆମେ ଓଡ଼ିଆ ,ଆମ ଭାଷା ବଢିଆ | ଆମ ଓଡିଶାର କଳା ସଂସ୍କୃତିର ବିଶ୍ୱ ପ୍ରସିଦ୍ଧ | ଆମେ ଏଥିପାଇଁ ଗର୍ବ କରୁ ଆମରି ମାଟିର ପୁଅ ଉତ୍କଳଗୌରବ ମଧୁସୂଦନ ଦାଶ ,ଉତ୍କଳମଣୀ ଗୋପବନ୍ଧୁ ଦାସ , ବ୍ୟାସକବି ଫକୀର ମୋହନ ସେନାପତି ସେନାପତି , ସ୍ୱଭାବକବି କବି ଗଙ୍ଗାଧର ମେହେର ଆଦି ଯେଉଁ ଯଶ ଓ ଖ୍ୟାତି ଅର୍ଜନ କରିଯାଇଛନ୍ତି ତାହା ଆମ ପାଇଁ ଚିର ବନ୍ଦନୀୟ  ଓ ଶିକ୍ଷଣୀୟ | ତାଙ୍କର ଦାୟାଦ ଭାବେ ଆମେ ତାଙ୍କରି ମାଟିରେ ଜନ୍ମ ନେଇଛନ୍ତି ଭାବିଲେ ଛାତି କୁଣ୍ଢେମୋଟ ହେଇଯାଏ | ଏ ମାଟି ସର୍ବଂସହା ଓ ସ୍ୱାଭିମାନର ମାଟି ,ତ୍ୟାଗ ଓ ତିତିକ୍ଷାର ମାଟି |ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଆମର | ଆମ ଭାଷା ର ସ୍ଥାନ ସ୍ୱତନ୍ତ୍ର | ୨୦୦୦ ବର୍ଷ ତଳର  ଆମ ଓଡ଼ିଆ ଭାଷାକୁ ଦେଶର ୬ଷ୍ଠ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ମିଳିଛି ୨୦୧୪ରେ |ପ୍ରତିଟି ସ୍ୱାଭିମାନୀ ଓଡ଼ିଆ ପାଇଁ ଏହାଠାରୁ ଗର୍ବ ଓ ଗୌରବର ବିଷୟ କଣ ହୋଇପାରେ | ପରେ ପରେ ୨୦୧୬ ରେ ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ନେଇ ଅଧ୍ୟାଦେଶ ଜାରି କରାଗଲା |  ସରକାରୀ ନଥି ପତ୍ରରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ଏବେ ସବୁ ଯେମିତି ବାଟମଣା  |ଏବଂ ୨୦୧୯ ମସିହାରେ ସରକାର ପୁଣି ଏକ ନିର୍ଦ୍ଦେଶନାମା ଜାରିକଲେ ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ନାମ ଫଳକ ଓ ସମସ୍ତ ଚିଠିପତ୍ର ଓଡ଼ିଆରେ ହେବ ବାଧ୍ୟତାମୂଳକ  |ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ତଥା ବିଭାଗ ମାନଙ୍କୁ ପୁରସ୍କୃତ କରାଯିବ | ଏବଂ ଯେଉଁମାନେ ଏହାର ଖିଲାପ କରିବେ ତାଙ୍କ ବିରୁଦ୍ଧରେ ଓଡିଶା ବେସାମରିକ ସେବା ଅଧିନିୟମ  ୧୯୬୨  ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା |

କିନ୍ତୁ ଏହା କେତେଦୂରୁ କାର୍ଯ୍ୟକାରୀ ହେଉଛି ତାହା ଆପଣ ମାନେ ଜାଣିପାରୁଥିବେ |ଓଡ଼ିଆରେ କାର୍ଯ୍ୟକାରୀ ବା ଓ ଚିଠିପତ୍ର ଦେବା ନେବେ ଦୂରେ ଥାଉ ରାଜଧାନୀ ସହ ପ୍ରମୁଖ ବଡ ବଡ ସହର ଗୁଡିକରେ ନାମଫଳକ ଗୁଡିକ ମଧ୍ୟ ଇଂରାଜୀରେ ଲେଖାହୋଇଥିବାର ଦେଖାଯାଉଛି | ଓଡ଼ିଆ ଭାଷା ବ୍ୟବହାର ପାଇଁ କେତେ ଆଗ୍ରହ ଅଛି ଏଥିରୁ ଅନୁମେୟ |ଠିକ ସମାନ ଢଙ୍ଗରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପ୍ରସଙ୍ଗ ଏବେ ଶୀତଳ ଭଣ୍ଡାର ରେ ରହିଲା ଭଳି ଅନୁମାନ ହେଉଛି |୨୦୧୮ ଅକ୍ଟୋବର ୯ ତାରିଖ ଓଡ଼ିଆ ଜାତିର ଆଦର୍ଶ ପୂଜ୍ୟ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପୁଣ୍ୟ ଜନ୍ମ ତିଥିରେ ଐତିହାସିକ ପଞ୍ଚସଖା ଙ୍କ ପୀଠ ପୁରୀ ଜିଲ୍ଲା ସତ୍ୟବାଦୀ ର  ବକୁଳବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ |କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏଯାଏଁ ଅଢେଇ ବର୍ଷ ବିତିଗଲା ମାଟି ଟିକେ ଉଠିଲାନି କି ଇଟା ଖଣ୍ଡେ ପଡ଼ିଲାନି |ସତ୍ୟବାଦୀ ର ଗୋପୀନାଥ ଦେବ ଟ୍ରଷ୍ଟବୋର୍ଡ଼ ଠାରୁ ୧୦ ଏକର ଜମି କ୍ରୟ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ  କାମ ଆରମ୍ଭ ହୋଇପାରିଲା ନାହିଁ | ସାଧାରଣରେ  ପ୍ରଶ୍ନ ଉଠିଲାଣି  ନବୀନ ବାବୁ ସବୁ ପ୍ରକଳ୍ପକୁ ବିଶ୍ୱସ୍ତରୀୟ କରିବା ଢାଞ୍ଚାରେ ଏଇଟିକୁ ବୋଧେ ଅନ୍ତର୍ଜାତୀୟ କରିବା ପାଇଁ ବିଳମ୍ବ କରୁଛନ୍ତି  ! ଯାହା ଫଳରେ ଅଢେଇ ବର୍ଷ ପରେ ଆଉ କିଛି ଦିନ ଗଲେ ଦୁଇ ବର୍ଷ ଛୁଇଁବ କିନ୍ତୁ ଏଯାଏ ଓଡ଼ିଆ  ବିଶ୍ୱବିଦ୍ୟାଳୟ ସ୍ବପ୍ନ ସ୍ୱପ୍ନରେ ରହିଯାଇଛି |ସୂଚନାଯୋଗ୍ୟ ପୁରୀରେ କ୍ୟାବିନେଟ କରି ରାଜ୍ୟ ସରକାର ଏହାକୁ ଐତିହ କ୍ୟାବିନେଟ କହି ବୁଲିଲେ | ଭାଷା ସାହିତ୍ୟ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ କହି୨୮ ଏକର ଜମିରେ  ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଘୋଷଣା କଲେ |ଯାହା ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲ ଅଳସ ରାଜସ୍ବ ମୌଜାରେ ଥିବା ଗୋପୀନାଥ ଦେବଙ୍କର ଭୂସମ୍ପତି |ଏହି ସ୍ଥାନକୁ ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରିବା ପାଇଁ ଦେବୋତ୍ତର ସଚିବ ୬ ଅକ୍ଟୋବର ୨୦୧୮ରେ ଅନୁମତି ମଧ୍ୟ ଦେଇଥିଲେ |ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟ ତଦାରଖ କରିବା ପାଇଁ ମଧ୍ୟ ନିଯୁକ୍ତି  ଦିଆଯାଇଥିଲା |ସେ ସମୟରେ ସରକାର  ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମାନସ ସନ୍ତାନ ବକୁଳବନ କୁ ବିଶ୍ୱବିଦ୍ୟାଳୟ ସହ ମିସାଇବାକୁ ସ୍ଥିର କରିଥିଲେ |କିନ୍ତୁ ପରବର୍ତ୍ତୀ ସମୟ ରେ ଏହାକୁ ବାଦ ଦିଆଯାଇଛି |ଶିଳାନ୍ୟାସ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଏ ପ୍ରକଳ୍ପ ଆଗାମୀ ଦୁଇ ବର୍ଷ ଭିତରେ ପୂର୍ଣ୍ଣ ରୂପ ନେବ | କିନ୍ତୁ ବର୍ତମାନ ଦୁଇ ଯାଇ ତିନିବର୍ଷ ହେବ ଆଉ କେଇଟା ମାସ ପରେ|  ଶେଷ ହେବା  ଦୂରେ ଥାଉ ସରକାରଙ୍କ ପକ୍ଷରୁ  ବାଲି ରଗଡା ଟିଏ ମଧ୍ୟ ପଡ଼ିପାରିଲା ନାହିଁ |

ଓଡ଼ିଆ ଭାଷା ,ସାହିତ୍ୟ ସଂସ୍କୃତିର ସୁରକ୍ଷା ସହ  ମୁଖଶାଳା ହେବାକୁ ଥିବା ବିଦ୍ୟାଳୟ ଏବେ ପାହାନ୍ତି ସ୍ବପ୍ନ ରେ ତାର ମେଳରେ ଅଛି କହିଲେ  ଭୁଲ ହେବନି |ଓଡ଼ିଆ ଭାଷା ,ସାହିତ୍ୟରେ ଗବେଷଣା ଓ ଉଚ୍ଚତର ଅଧ୍ୟୟନ ପାଇଁ ସରକାର ସ୍ୱତନ୍ତ୍ର ବିଭାଗ ଖୋଲିଛନ୍ତି | ବହୁ ସଂଘର୍ଷ  ଆମ ମାତୃଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ମିଳିସାରିଛି | କିନ୍ତୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ରାଜ୍ୟସରକାରଙ୍କର ଆନ୍ତରିକତା ଅଭାବ ସହ ଚରମ ଉଦାସୀନତା ଦେଖିବାକୁ ମିଳିଛି | ଏହା ଅଗଣିତ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରେମୀଙ୍କୁ ମର୍ମାହତ ସହ କ୍ଳେଶ ଦେଇଛି | ଶେଷରେ ଏତିକି କହିବୁ କେବଳ ଘୋଷଣାରେ ସୀମିତ ନରହୁ ଓଡ଼ିଆ ବିଶ୍ୱବିଦ୍ୟାଳୟ |ଓଡ଼ିଶାର ଛାତ୍ରଛାତ୍ରୀ ମାନେ ଓଡ଼ିଆର ଉଚ୍ଚ ଗବେଷଣା ରୁ ବଂଚିତ ନହୁଅନ୍ତୁ | କେବେଳ ସହ ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଓଡ଼ିଶାର ଉନ୍ନତି ହେବନି | ଯେତିକି ଶିଳାନ୍ୟାସ ହେଉଛି ତାହାର ସଫଳ ରୂପାୟନ ହେଉ |  ଓଡ଼ିଶାର ବିକାଶ ଓ ଓଡ଼ିଆ ଜାତିର ଉନ୍ନୟନ କାର୍ଯ୍ୟକ୍ରମ କିପରି କଚ୍ଛପ ଗତିରେ ଚଲୁଛି ତାହାର ନିଚ୍ଛକ ଉଦାହରଣ ‘ ଓଡ଼ିଆ ବିଶ୍ୱବିଦ୍ୟାଳୟ ‘ | ଆମେ ଆଶା ରଖିବୁ ସରକାର ଯଥାଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତୁ | ଓ ଐତିହାସିକ ଛୁରିଆନା ବକୁଳବନ କୁ ପୁନର୍ବାର ସ୍ଥାନିତ କରି ଉତ୍କଳମଣିଙ୍କୁ ଯଥୋଚିତ ସମ୍ମiନ ପ୍ରଦାନ କରନ୍ତୁ | ଆଶା ଓ ଆଶଙ୍କା ଭିତରେ ନରଖି ଖୁବଶୀଘ୍ର ଓଡିଶାବାସୀଙ୍କୁ ସୁବାର୍ତ୍ତା ଦେଲେ କୃତଜ୍ଞ ରହିବେ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular