ତାଲିବାନ ସରକାର ଗଠନ କରିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧିନତା ଉପରେ ବହୁ ରୋକ୍ ଲଗାଇଛି। ସ୍କୁଲ, କଲେଜରେ ପୁଅ, ଝିଅ ଏକାଠି ପଢ଼ିପାରିବେନି, ସେମାନେ ନିଜ ଇଚ୍ଛାରେ ଡ୍ରେସ୍ ପିନ୍ଧିପାରିବେନି । ତାଲିବାନୀ ନିୟମ ଯୋଗୁ ଏବେ ବହୁ ମହିଳା ବେରୋଜଗାର ହେବା ସହ ନିଜ କାମକୁ ଫେରି ପାରୁ ନାହାନ୍ତି। ତାଲିବାନ ସରକାରରେ ମହିଳାଙ୍କୁ ସ୍ଥାନ ମିଳିବ ବୋଲି ଆନ୍ତର୍ଜାତୀୟ ସମୁଦାୟକୁ କହି ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରୁଥିବା ତାଲିବାନ କିନ୍ତୁ ନିଜ ଅସଲ ଚେହେରାକୁ ଲୁଚାଇ ପାରିନି। ତାଲିବାନ ସରକାରରେ ମହିଳାଙ୍କୁ କୌଣସି ସ୍ଥାନ ମିଳି ନ ଥିବା ବେଳେ ସେମାନଙ୍କ ଅଧିକାରକୁ ଦଳି ମକଚି ଦିଆଯାଇଛି।
କ୍ୟାମେରା ସାମନାରେ ନିଜକୁ ଭଦ୍ର ଭାବେ ଚିତ୍ରଣ କରୁଥିବା ଓ କୌଣସି ନାଗରିକଙ୍କ ମାନବାଧିକାର କ୍ଷୁର୍ଣ୍ଣ କରାଯାଉ ନ ଥିବା ଡିଣ୍ଡିମ ପିଟୁଥିବା ତାଲିବାନୀ ସରକାର କିନ୍ତୁ କ୍ୟାମେରା ପଛରେ ପାଲଟି ଯାଉଛି ହିଂସ୍ର। ଏପରିକି ସେମାନେ ବନ୍ଧୁକ ମୁନରେ ଆନ୍ଦୋଳନକାରୀ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ବେଳେ ଏହାକୁ କଭର କରୁଥିବା ସାମ୍ବାଦିକଙ୍କୁ ବି ଛାଡ଼ି ନାହାନ୍ତି। ତାଲିବାନ ଦ୍ୱାରା କାମଚଳା ସରକାର ଗଠନ ପରେ ଏହା ବିରୋଧରେ ଦେଶର ବିଭିନ୍ନ କୋଣରେ ପ୍ରତିବାଦ଼ର ସ୍ୱର ତେଜି ଉଠୁଛି। ଏପରିକି ତାଲିବାନୀଙ୍କ ବନ୍ଧୁକଙ୍କୁ ନ ଡରି ନିଜ ହକ୍ ପାଇଁ ବହୁ ସ୍ଥାନରେ ମହିଳା ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କାବୁଲର ବିଭିନ୍ନ ସ୍ଥାନରେ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରି ମନ୍ତ୍ରୀମଣ୍ଡଳରେ ନିଜ ପାଇଁ ଜାଗା ମାଗିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0