ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତୀ ବେଶରେ ମାଳଚୂଳମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଆଜି ବଡ଼ସିଂହାର ବେଶରେ ସୋଲ ଓ ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷଳ, କୁଣ୍ଡଳ ଇତ୍ୟାଦି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଇତ୍ୟାଦି ଧାରଣ କରିଥାନ୍ତି । ଏହି ବେଶ ନବାଙ୍କ ବେଶ ରୂପେ ଜଣାଶୁଣା।
ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ । ବଡ଼ସିଂହାର ବେଶରେ ଦେବତାମାନଙ୍କୁ ଅଳଙ୍କୃତ କରୁଥିବା ଚିତା, ଗୁଣା, କରପଲ୍ଲବ, ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ପ୍ରଧାନତଃ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ । ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଘଟିଥାଏ । ସାଧାରଣ ଦିନମାନଙ୍କରେ ଚତୁର୍ଦ୍ଧାବିଗ୍ରହଙ୍କ ଠାରେ ଚାରି ପାଞ୍ଚଟି ମାଳ ଲାଗୁଥିଲେ ମଧ୍ୟ ନବାଙ୍କ ବେଶ ଦିନ ଦଶ ପନ୍ଦରଟି ମାଳ ଲାଗିହୁଏ । ଏହି ଦିନ ଲାଗୁଥିବା ଶିର ଭୂଷଣ ଓ ଟୋପରଗୁଡିକ ତୁଳସୀ ପତ୍ର ଦ୍ବାରା ପ୍ରସ୍ତୁତ ହୋଇଥାଏ ଏବଂ ସେହି ଟୋପର ଉପରେ ଗେଣ୍ଡୁଫୁଲର ମାଳା ଗୁଡା ଯାଇଥାଏ ।
ମକର ସଂକ୍ରାନ୍ତି ପୂର୍ବଦିନ ଅନୁଷ୍ଠିତ ହେଉଥିବା ଏହି ବେଶରେ ବହୁଳ ଭାବରେ ଗେଣ୍ଡୁ ଫୁଲ ବ୍ୟବହାର ହେଉଥିବା କାରଣ ହେଉଛି ଏହି ସମୟରେ ଅଧିକ ଗେଣ୍ଡୁଫୁଲ ମିଳେ। ନବାଙ୍କ ବେଶ ସହିତ ନବାଙ୍କ ବେଢାର ମଧ୍ୟ ତାତ୍ପର୍ଯ୍ୟ ରହିଛି। ଆଜି ବଡ଼ ସିଂହାର ଭୋଗ ପରେ ମଦନମୋହନ ଦକ୍ଷିଣ ଘରୁ ବିଜେ କରି ରତ୍ନସିଂହାସନକୁ ଆସନ୍ତି । ସେଠାରୁ ଆଜ୍ଞାମାଳ ପାଇ ରତ୍ନ ସିଂହାସନକୁ ସାଢେ ଚାରିଥର ପ୍ରଦକ୍ଷଣ କରି ବଟମୂଳେ ଥିବା ପାଲିଙ୍କିରେ ବିଜେ କରି ଦେଉଳ ଚାରିପାଖକୁ ସାଢେ ଚାରିଥର ପ୍ରଦକ୍ଷିଣ କରନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0