ଫିଲିପାଇନ୍ସର ସାମ୍ବାଦିକା ମାରିଆ ରେସା ଏବଂ ଋଷର ସାମ୍ବାଦିକ ଦିମିତ୍ରି ମୁରାଟୋବଙ୍କୁ ଆଜି ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ନରୱେ ନୋବେଲ କମିଟିର ସଭାପତି ବେରିଟ୍ ରିସ୍-ଆଣ୍ଡର୍ସେନ୍ କହିଛନ୍ତି ଯେ, ବାକ୍ ସ୍ବାଧୀନତାରକୁ ସୁରକ୍ଷା ଦେବାକୁ ଦୁହେଁ ଫିଲିପାଇନ୍ସ ଏବଂ ଋଷରେ କରିଥିବା ପ୍ରୟାସ ପାଇଁ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ୨୦୧୨ରୁ, ରେସା ଅନୁସନ୍ଧାନକାରୀ ସାମ୍ବାଦିକତା ପାଇଁ ଏକ ଡିଜିଟାଲ୍ ମିଡିଆ କମ୍ପାନି ରାପ୍ଲରର ସହ-ପ୍ରତିଷ୍ଠାତା ଭାବେ କାମ ଆରମ୍ଭ କରିଥିଲେ, ଯାହାକି ସେ ଏପର୍ଯ୍ୟନ୍ତ ଜାରି ରଖିଛନ୍ତି। ନିଜ ଡିଜିଟାଲ ମିଡିଆ କମ୍ପାନି ଦ୍ବାରା ସେ ଅନେକ ଅପରାଧର ଅନୁସନ୍ଧାନ କରିଛନ୍ତି। ମୋଟ ୩୨୯ଜଣଙ୍କ ମଧ୍ୟରୁ ମାରିଆ ରେସା ଏବଂ ଦିମିତ୍ରି ମୁରାଟୋବ ନୋବେଲ ଶାନ୍ତି ପୁରସ୍କାର ୨୦୨୧ପାଇଁ ମନୋନୀତ ହୋଇଛନ୍ତି। ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ବର୍ତ୍ତମାନ ୧.୧ ମିଲିୟନ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯିବ। ସେହି ଭଳି ମୁରାଟୋବ ୧୯୯୩ ରେ, ନୋଭାୟା ଗଜେତା ନାମକ ଖବରକାଗଜର ପ୍ରତିଷ୍ଠା କରିଥିଲେ। ନିଜ ଖବରକାଗଜ ଜରିଆରେ ସେ ବାକ୍ ସ୍ବାଧୀନତାକୁ ସୁରକ୍ଷା ଦେଇଥିବା ସହ ୧୯୯୫ମସିହାରୁ ଏହାର ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଆସୁଛନ୍ତି। ବେରିଟ୍ ରିସ୍-ଆଣ୍ଡର୍ସେନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ର ଏବଂ ଗଣମାଧ୍ୟମର ସ୍ୱାଧୀନତା ଦିନକୁ ଦିନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ମାରିଆ ରେସା ଏବଂ ଦିମିତ୍ରି ମୁରାଟୋବ ବାକ୍ ସ୍ବାଧୀନତାକୁ ସୁରକ୍ଷା ଦେଉଥିବା ସାମ୍ବାଦିକଙ୍କ ପ୍ରତିନିଧୀ ପାଲଟିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0