‘ସଂଯୁକ୍ତ କିଷାନ୍ ମୋର୍ଚା’ ଡାକ ଦେଇଥିବା ରେଳ ରୋକ ପ୍ରତିବାଦରେ ଯେଉଁମାନେ ଭାଗ ନେବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋମବାର ଦିନ ଉତ୍ତର ପ୍ରଦେଶ ପୁଲିସ ସତର୍କ କରାଇ ଦେଇଛି। ସୂଚାନଯୋଗ୍ୟ ଯେ ଲଖିମ୍ପୁର ଖେରି ହିଂସାକାଣ୍ଡରେ ପୁଅ ଆଶିଷ ମିଶ୍ରା ଅଭିଯୁକ୍ତ ଥିବାରୁ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରି ଆଜି ‘ସଂଯୁକ୍ତ କିଷାନ୍ ମୋର୍ଚା’ ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ ଡାକରା ଦେଇଛି। ରବିବାର ଦିନ ଏ ସଂକ୍ରାନ୍ତରେ ବିବୃତି ଜାରି କରି ‘ସଂଯୁକ୍ତ କିଷାନ୍ ମୋର୍ଚା’ କହିଛି, ଲଖିମ୍ପୁର ଖେରି ହିଂସାକାଣ୍ଡର ନ୍ୟାୟ ବିଚାର ନିମନ୍ତେ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଓ ଗିରଫ ଦାବି କରି ଅକ୍ଟୋବର ୧୮ ତାରିଖ ଦିନ ‘ଏସ୍କେଏମ୍’ ଦେଶବ୍ୟାପୀ ରେଳରୋକ କରିବ। ଲକ୍ଷ୍ନୌରେ ୧୪୪ ଧାରା ମଧ୍ୟ ଜାରି କରାଯାଇଛି ବୋଲି ପୁଲିସ କହିଛି। ତେଣୁ, ଗୋଟିଏ ସ୍ଥାନରେ ୪ଜଣରୁ ଅଧିକ ଲୋକ ସମବେତ ହୋଇ ପାରିବେ ନାହିଁ। ପୁଲିସ ଆହୁରି ମଧ୍ୟ କହିଛି ଯେ, ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ବା ଶାନ୍ତିଶୃଙ୍ଖଳା ଭଙ୍ଗ କରିବାକୁ ଚେଷ୍ଟା କରିବେ ସେମାନଙ୍କୁ ‘ନ୍ୟାସ୍ନାଲ୍ ସିକ୍ୟୁରିଟି ଆକ୍ଟ୍’ରେ (ଏନ୍ଏସ୍ଏ) ବୁକ୍ କରାଯିବ ବୋଲି ମଧ୍ୟ ପୁଲିସ କହିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0