ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ବିଭିନ୍ନ ଛକ, ବସ୍ କ୍ୟୁ ସେଲ୍ଟର ନିକଟରେ ଯେଉଁ ‘ମୋ ସାଇକେଲ୍’ ରଖାଯାଇଛି ତାହାର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସାଇକେଲ୍ର ଦାମ୍ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍ସିଏଲ୍) ର ମାତ୍ର କିଛି ହାତଗଣତି ଅଧିକାରୀଙ୍କୁ ଛାଡ଼ିଦେଲେ କେହି ଜାଣିନାହାନ୍ତି ।
ମୋ ସାଇକେଲ୍ ରାଜଧାନୀରେ ଗଡ଼ିବା ଦିନରୁ କୁହାଯାଇଛି ଯେ, ତିନିଟି ଘରୋଇ ସଂସ୍ଥା ହେକ୍ସି, ୟୋନୋ, ୟୁଲୁ ନିଜ ଖର୍ଚ୍ଚରେ ସାଇକେଲ୍ କିଣିକି ଚଲାଇବେ। ଯାହା ଭଡ଼ା ପାଇବେ ତାହା ତାଙ୍କର ରୋଜଗାର। ଅସଲରେ ଏହି ‘ମୋ ସାଇକେଲ୍’କୁ ବିଏସ୍ସିଏଲ୍ କର୍ତ୍ତୃପକ୍ଷ କିଣିଛନ୍ତି । ସାଇକେଲ୍ ଦାମ୍ ଶୁଣିଲେ ଅପାଣଙ୍କ ହାଲକ୍ ଶୁଖିଯିବ। ସାଇକେଲ୍ ଗୋଟାକୁ ୫ହଜାର କି ୧୦ହଜାର ନୁହେଁ। ଗୋଟିଏ ସାଇକେଲ୍ ପିଛା ଘରୋଇ ସଂସ୍ଥାକୁ ୨୫ହଜାର ଟଙ୍କା ଲେଖାଏଁ ଦେଇଛନ୍ତି । ଅର୍ଥାତ୍ ରାଜଧାନୀରେ ଯେଉଁ ୨ହଜାର ‘ମୋ ସାଇକେଲ୍’ ଚଲାଇବାକୁ ଆସିଥିଲା ତାକୁ ବିଏସ୍ସିଏଲ୍ କର୍ତ୍ତୃପକ୍ଷ ୫କୋଟି ଟଙ୍କା ଦେଇ କିଣିଛନ୍ତି । ତିନି ଘରୋଇ ସଂସ୍ଥା ଯଥା ହେକ୍ସିକୁ ହଜାରେ ସାଇକେଲ୍ ପାଇଁ ଅଢେଇ କୋଟି, ୟୋନୋକୁ ୫୦୦ ସାଇକେଲ୍ ପାଇଁ ୧କୋଟି ୨୫ଲକ୍ଷ ଏବଂ ୟୁଲୁକୁ ୫୦୦ ସାଇକେଲ୍ ପାଇଁ ୧କୋଟି ୨୫ ଲକ୍ଷ ଲେଖାଏଁ ଦେଇ ସାଇକେଲ୍ କିଣିଛନ୍ତି ।
ଗୋଟିଏ ସାଇକେଲ୍ର ବାର୍ଷିକ ମରାମତି ପାଇଁ ୫ହଜାର ଟଙ୍କା ଦେବେ ବୋଲି ଘରୋଇ ସଂସ୍ଥା ସହ ଚୁକ୍ତି କରିଛନ୍ତି। ଏହିପରି ବର୍ଷକୁ କୋଟିଏ ଟଙ୍କା କେବଳ ମରାମତି ବାବଦକୁ ଦେବେ। ଘରୋଇ ସଂସ୍ଥାକୁ ସାଇକେଲ୍ ପିଛା ୨୫ହଜାର ଦେବା ପରେ ଏହି ୫ହଜାର ଟଙ୍କା କ’ଣ ଆବଶ୍ୟକ ଥିଲା? ଯଦି ସାଇକେଲ୍ ମରାମତି ପାଇଁ ବର୍ଷକୁ ୫ହଜାର ଟଙ୍କା ଖର୍ଚ୍ଚ ହେବ ତେବେ ସେ ସାଇକେଲ୍ ଚଲାଇବାକୁ କେତେ ଉପଯୋଗୀ ହେବ ତାହା ସହଜେ ଅନୁମେୟ। ବିଏସ୍ସିଏଲ୍ କର୍ତ୍ତୃପକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମୋ ସାଇକେଲ୍ କିଣିଲେ ଅଥଚ ସେଗୁଡ଼ିକ କେଉଁଠି ଡ୍ରେନ୍ ଭିତରେ ଗଡ଼ିଲା ତ କେଉଁଠି ଅଳିଆ ଗଦାରେ ପଡ଼ିଥିବାର ଦେଖିବାକୁ ମିଳୁଛି ।
ନଭେମ୍ବରକୁ ରାଜଧାନୀରେ ମୋ ସାଇକେଲ୍ ଗଡ଼ିବାର ଦୁଇବର୍ଷ ବିତିବ। କିନ୍ତୁ କିଏ କେତେ ବେଳେ ସିଟ୍ ଖୋଲି ନେଇଗଲେ ତ କିଏ ବେଲ୍ ଖୋଲି ନେଇଗଲେ। କିନ୍ତୁ କର୍ତ୍ତୃପକ୍ଷ ଚୁପ୍ ବସିଲେ। ଯାହାର ଫାଇଦା ନେଇ ଘରୋଇ ସଂସ୍ଥା ନିଜ ଇଚ୍ଛାରେ ସାଇକେଲ୍ ଚଳାଉଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ବିଏସ୍ସିଏଲ୍ କର୍ତ୍ତୃପକ୍ଷ ୫କୋଟି ଟଙ୍କା ଖର୍ଚ୍ଚ କରି ସାଇକେଲ୍ କିଣିବା ପରେ ଏମିତି କ’ଣ ହେଲା ଯେ, ତାହାକୁ ଆଡ଼ ଆଖିରେ ଚାହିଁଲେ ନାହିଁ। ବିଏସ୍ସିଏଲ୍ କର୍ତ୍ତୃପକ୍ଷ ‘ମୋ ସାଇକେଲ୍’ କିଣିଥିଲେ ବି ଏହାର ପରିଚାଳନା ଦାୟିତ୍ବ କ୍ରୁଟ୍ ବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟକୁ ଦେଇଦେଲେ। କ’ଣ ‘ମୋ ବସ୍’ ଯୋଜନାକୁ ସଫଳ କରିବା ଭଳି ଏହି ଯୋଜନାକୁ ସଫଳ କରିପାରିନଥାନ୍ତେ (ବିଏସ୍ସିଏଲ୍) ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0